ଛୁଆଚୋରି ସନ୍ଦେହରେ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ: ପୋଲିସ କହିଲା 'ଗୁଜବ', ତଦନ୍ତ ଜାରି
ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ ଭାଲୁପାଲି ଗ୍ରାମରେ ଛୁଆଚୋରି ସନ୍ଦେହକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ସହ ପୋଲିସ ଜିମା ଦେଇଛନ୍ତି। ଅଟକ ଯୁବକ ଜଣକ ପପଙ୍ଗା ଗ୍ରାମର କାଠୁ ସୁରୁଜାଲ (୪୦) ବୋଲି ଜଣାପଡ଼ିଛି।
ଅଭିଯୁକ୍ତ ଜଣକ ଘର ଭିତରକୁ ପଶିଥିବା ବେଳେ ପରିବାର ଲୋକେ ତାଙ୍କୁ ଧରି ପକାଇଥିଲେ। ଗ୍ରାମବାସୀଙ୍କ ପଚରାଉଚରା ବେଳେ ସେ ଛୁଆଚୋରି ପାଇଁ ଆସିଥିବା ଏବଂ ତାଙ୍କ ସହ ଆଉ ୪ ଜଣ ଥିବା ସ୍ୱୀକାର କରିଥିବା ଭିଡିଓ ଭାଇରାଲ ହୋଇଛି।
ଅଭିଯୁକ୍ତଙ୍କ କହିବା ଅନୁସାରେ, ସମ୍ବଲପୁରର ଜଣେ ବ୍ୟକ୍ତିଙ୍କୁ ପିଲା ଯୋଗାଇବା ପାଇଁ ପିଲା ପିଛା ୫୦ ହଜାର ଟଙ୍କାର ଚୁକ୍ତି ହୋଇଥିଲା।
ଏହି ଘଟଣାକୁ ନେଇ ରୁଷୁଡ଼ା ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ ଛୁଆଚୋରି ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି।
ଅଭିଯୁକ୍ତ କାଠୁ ସୁରୁଜାଲ ଜଣେ ପେସାଦାର ଚୋର ଏବଂ ପୂର୍ବରୁ ଅନେକ ଥର ଜେଲ୍ ଯାଇଛି।
ଲୋକଙ୍କ ମଧ୍ୟରେ ଖେଳିଥିବା "ଛୁଆଚୋର" ଭୟ କେବଳ ଏକ ଗୁଜବ।
ଆଇନକୁ ହାତକୁ ନେଇ ଯୁବକଙ୍କୁ ମାଡ଼ ମାରିବା ଘଟଣାର ମଧ୍ୟ ତଦନ୍ତ କରାଯାଉଛି।
ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କୁ କୋକୁଆ ଭୟରୁ ଦୂରେଇ ରହିବାକୁ ଏବଂ କୌଣସି ଅଜଣା ବ୍ୟକ୍ତିଙ୍କୁ ଦେଖିଲେ ଆଇନକୁ ହାତକୁ ନନେଇ ପୋଲିସକୁ ଖବର ଦେବାକୁ ଅନୁରୋଧ କରାଯାଇଛି।