
ଯୋଗର ଜନକ ହେଉଛନ୍ତି ଭଗବାନ ଶିବ- ପଣ୍ଡିତ ଦୈତାରୀ ମହାପାତ୍ର ଙ୍କ ବିଶେଷ ଉପସ୍ଥାପନା।
ଯୋଗର ଜନକ ହେଉଛନ୍ତି ଭଗବାନ ଶିବ
ପଣ୍ତିତ ଦୈତ୍ୟାରି ମହାପାତ୍ର
ଭଗବାନ ଶିବ ହେଉଛନ୍ତି ଯୋଗର ଜନକ। ଯୋଗ, ଧ୍ୟାନ ଏବଂ ଜପର ପରମ୍ପରା ଭଗବାନ ଶିବଙ୍କ ଠାରୁ ହିଁ ସୃଷ୍ଟି। ପରମେଶ୍ବର ଭଗବାନ ଶିବ ନିଜେ ଧ୍ୟାନ ଏବଂ ସାଧନା ମାଧ୍ୟମରେ ଆତ୍ମା ଏବଂ ପରମାତ୍ମାଙ୍କ ମିଳନ ପାଇଁ ପ୍ରକୃତ ପଥ ଦେଖାଇଥିଲେ। ଯେ କୌଣସି ଯୋଗାସନ ବା ଧ୍ୟାନ କରିବା ସମୟରେ ପ୍ରଥମେ ଶିବ ଭଗବାନଙ୍କୁ ସ୍ମରଣ କରାଯାଏ।
ସଂସ୍କୃତରେ ‘ଯୁଜ୍’ ଧାତୁରୁ ଯୋଗର ଉତ୍ପତି; ଯାହାର ଅର୍ଥ ହେଉଛି ‘ଯୋଡ଼ିବା’। ଅର୍ଥାତ୍ ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିବାର ସୂତ୍ର ହେଉଛି ଯୋଗ। ସ୍ପଷ୍ଟ ଭାବରେ କହିଲେ, ଯୋଗର ଅର୍ଥ ଶାରୀରିକ ବ୍ୟାୟାମ। ଯେଉଁ ପ୍ରକ୍ରିୟାରେ ମନୁଷ୍ୟ ସୁସ୍ଥ ରହିବା ପାଇଁ ନିଜ ଶରୀରକୁ ମୋଡ଼ିଥାନ୍ତି, ଟାଣିଥାନ୍ତି, ସମ୍ପ୍ରସାରିତ କରିଥାନ୍ତି ଓ ଶ୍ୱାସ ନେବାର ଜଟିଳ ତରିକା ଆପଣେଇଥାନ୍ତି। ଯୋଗ ଦ୍ୱାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ। ଏହା ମଧ୍ୟ ଜଣେ ବ୍ୟକ୍ତିର ଦିନଚର୍ଯ୍ୟାକୁ ସୁନ୍ଦର କରିଥାଏ। ଐତିହାସିକଙ୍କ କହିବାନୁସାରେ, ସଭ୍ୟତା ଆରମ୍ଭ ହେବା ଦିନଠାରୁ ଯୋଗ ପ୍ରକ୍ରିୟା ପାଳନ କରାଯାଇ ଆସୁଛି। ଯୋଗ ପାଞ୍ଚ ହଜାର ବର୍ଷ ବା ତା’ଠାରୁ ଆହୁରି ଏକ ପୁରାତନ ପ୍ରକ୍ରିୟା ବୋଲି ଐତିହାସିକ ମାନେ ମତ ଦିଅନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ଯୋଗର ପ୍ରଥମ ଗୁରୁ ହେଉଛନ୍ତି ଭଗବାନ ଶିବ।
ପ୍ରାଚୀନତମ ବୃହତ ଆରଣ୍ୟକ ଉପନିଷଦରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ରହିଛି। ଭାଗବତ ଗୀତା ଓ ମହାଭାରତର ଶାନ୍ତିପର୍ବରେ ମଧ୍ୟ ଯୋଗ ସମ୍ପର୍କରେ ସ୍ଵତନ୍ତ୍ର ଭାବେ ଉଲ୍ଲେଖ ଥିବାର ଦେଖିବାକୁ ମିଳେ। ଆଦିଗୁରୁ ଭଗବାନ ଶିବଙ୍କ ପରେ ସାଧୁ, ମୁନି, ଋଷିମାନଙ୍କଠାରୁ ଯୋଗ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଭଗବାନ ଶ୍ରୀକୃଷ୍ଣ, ମହାବୀର ଜୈନ ଓ ଗୌତମ ବୁଦ୍ଧ ମଧ୍ୟ ନିଜ ନିଜ ଶୈଳୀରେ ଯୋଗର ପ୍ରସାର କରିଛନ୍ତି। ଏହାପରେ ଋଷି ପତଞ୍ଜଳି ଯୋଗକୁ ଏକ ନୂଆ ପରିଚୟ ଦେଇଥିଲେ। ସେଥି ପାଇଁ ପତଞ୍ଜଳିଙ୍କୁ ମଧ୍ୟ ଯୋଗର ଗୁରୁ ବୋଲି କୁହାଯାଏ।
ଜୁନ୍ ୨୧ କାହିଁକି? :-
ଜୁନ୍ ୨୧ ତାରିଖକୁ ଅନ୍ତଃରାଷ୍ଟ୍ରୀୟ ବା ବିଶ୍ୱ ଯୋଗ ଦିବସ ଭାବେ ବାଛିବା ପଛରେ ଉଭୟ ବୈଜ୍ଞାନିକ ଓ ପାରମ୍ପରିକ କାରଣ ରହିଛି। ଜ୍ୟୋତିର୍ବିଦ୍ଙ୍କ ମତରେ, ସୂର୍ଯ୍ୟଙ୍କ ଗତି ଦୁଇ ପ୍ରକାର - ଯଥା ଉତ୍ତରାୟଣ ଗତି ଏବଂ ଦକ୍ଷିଣାୟନ ଗତି। ଜୁନ୍ ୨୧ ତାରିଖରେ ସୂର୍ଯ୍ୟ ନିଜର ଗତି ପରିବର୍ତ୍ତନ କରିଥାନ୍ତି। ଅର୍ଥାତ୍ ଏହି ଦିନ ସୂର୍ଯ୍ୟ ନାରାୟଣ ଉରାୟଣରୁ ଦକ୍ଷିଣାୟନକୁ ଗମନ କରିଥାନ୍ତି। ଫଳରେ ସୂର୍ଯ୍ୟଙ୍କ ତେଜ ଓ ତାପ କମ୍ ହୋଇଥାନ୍ତି । ଫଳରେ ଅଚାନକ ପାଗ ପରିବର୍ତ୍ତନ ହୁଏ। ସେଥିପାଇଁ ପୃଥିବୀର ଗୋଟିଏ ଭାଗରେ ଅନେକ ପ୍ରକାର ରୋଗ ଜୀବାଣୁ ସକ୍ରିୟ ହୋଇଉଠନ୍ତି ଏବଂ ଲୋକମାନେ ନାନା ରୋଗରେ ପଡ଼ିବାର ଆଶଙ୍କା ଉପୁଜେ। ଏଭଳି ପରିସ୍ଥିତିରୁ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ଯୋଗ ଅଭ୍ୟାସ ହେଉଛି ଏକାନ୍ତ ପ୍ରୟୋଜନ । ସେଥିପାଇଁ ଜାତିସଂଘର ନିଷ୍ପତ୍ତି ଅନୁସାରେ ପ୍ରତି ବର୍ଷ ଜୁନ୍ ମାସ ୨୧ ତାରିଖକୁ "ଯୋଗ ଦିବସ" ଭାବେ ଚୟନ କରାଯାଇ ଯୋଗାଭ୍ୟାସ ପାଇଁ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ନୀରୋଗ ରହିବା ପାଇଁ ଯୋଗ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ସଚେତନତା କରାଯାଏ।
ଓଡ଼ିଆ ଭାଷା ସାହିତ୍ୟ ଗବେଷକ
ଭଦ୍ରକ, ଓଡ଼ିଶା
ମୋ -୮୭୬୩୫୪୮୨୦୨, ୬୩୭୨୭୫୨୬୬୨
Mail id - shivbaba.mahapatra@gmail.com