logo

ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ, ପ୍ରଜା ବିଦ୍ରୋହର ଶଙ୍ଖନାଦ।

ପୂଣ୍ୟଭୂମି‌‌‌‌‌ ଆମୁଣି ଗାଁରୁ, ପ୍ରଜା ବିଦ୍ରୋହର ଶଙ୍ଖନାଦ।
ଲେଖକ- ଘନଶ୍ୟାମ ପଲେଇ

ଭାଗ- ୪

ପୂର୍ବରୁ ପଢିଥିଲେ....

ଜଣେ ବିଶ୍ୱସ୍ତ ରାଜ କର୍ମଚାରୀ ତାକୁ କଟକ ତୁଳସୀପୁର କେନ୍ଦୁଝର କୋଠୀରେ ଛାଡିବାକୁ ବାହାରିଲେ। ସେତେବେଳେ କେନ୍ଦୁଝରରୁ କଟକ ଯିବାକୁ ଭଲ ରାସ୍ତା ଘାଟ କିମ୍ବା ଯାନ୍ତ୍ରିକ ଯାନର ସୁବିଧା ନଥିଲା। ପାଦରେ ଚାଲି ଚାଲି ସେଠାକୁ ଯାଇଥିଲେ। ଉଚ୍ଚଶିକ୍ଷା ପାଇବାକୁ ଉତ୍ସାହିତ ଧରଣୀଧର ଟିକିଏ ବି ପଦଯାତ୍ରାର କାୟକ୍ଳେଶ ଅନୁଭବ କରିନଥିଲେ।......
--------------------------------------

ଧରଣୀଧରଙ୍କ ନାଁ କଟକ ସର୍ଭେ ଟ୍ରେନିଙ୍ଗ୍ ସ୍କୁଲରେ ଲେଖା ହେଲା। ସେ କାଳରେ ଇଞ୍ଜିନିୟରିଂ ବିଦ୍ୟାଳୟ ଏହା ହିଁ ଥିଲା। ଧରଣୀ ଥିଲେ ପିଲାଟି ଦିନରୁ ବିନୟୀ, ଶାନ୍ତ, ଧୀରସ୍ଥିର, ସତ୍ୟବାଦୀ, ପରଉପକାରୀ, ଧର୍ମପରାୟଣ, ଈଶ୍ୱର ବିଶ୍ୱାସୀ, ଦେବତା ପୂଜା, ଗୁରୁଗୁରୁଜନଙ୍କୁ ସମ୍ମାନ ଦେଖେଇବା ଆଦି ସଦଗୁଣାବଳୀରେ ଭୂଷିତ ଥିଲେ। ଦେଖିବାକୁ ବି ଗୋରା ତକ୍ ତକ୍‍ ଠିକ୍‍ ରାଜକୁମାର ପରି ଠାଣି। ଉଦ୍ୟୋଗଶୀଳ ଓ ଉଦାରଚରିତ୍ର ପିଲାକୁ ବା କିଏ ଭଲ ନ ପାଆନ୍ତା। ସହପାଠୀମାନେ ତାଙ୍କୁ ଢେର୍ ଆଦର ସମ୍ମାନ କରୁଥିଲେ। ଭଲ ପାଠ ପଢୁଥିବାରୁ ସେ ଅଧ୍ୟାପକମାନଙ୍କ ଠାରୁ ସ୍ନେହ ଆକର୍ଷଣ କରିବାକୁ ମଧ୍ୟ ସକ୍ଷମ ଥିଲେ।
ଧରଣୀଧର କଟକ ରହିବାର କେତେଦିନ ପରେ ଗଡଗଡିଆ ଘାଟଠାରେ ଜଣେ ସାଧୁଙ୍କ ସହ ଭେଟ ହେଲା। ସାଧୁ ନିଜର ପରିଚୟ ଦେଇ କହିଲେ- "ତୁ ଯେଉଁ ଦିନ ଜନ୍ମ ହେଲୁ ଗାଁବାଲାଙ୍କ କଥାରେ ତୋର ମା' ତୋତେ ଫୋପାଡି ଦେବାକୁ ଯାଉଥିଲା। ତୋତେ ମୁଁ ହିଁ ରକ୍ଷା କରିଚି। ପଚାରିବୁ ତ ମାଆକୁ... ମୁଁ ସେଇ ବାବାଜୀ। ତୁ ମଣିଷ ହେବାର ଥିଲେ ମୋ ଠାରୁ ଶିକ୍ଷା ଲାଭ କର"।
କ’ଣ ହେଲା କେଜାଣି... ଧରଣୀଧରର ମନଟା ବାବାଜୀ ଆଡକୁ ଟାଣିଲା। ନିଇତି ନିଇତି ସଂଧ୍ୟାକୁ ଯାଇ ତନ୍ତ୍ରବିଦ୍ୟା ଶିକ୍ଷା ବି କଲେ।
ଦିନବେଳା ସ୍କୁଲ ଯିବାରେ କେବେ ଅବହେଳା କରୁ ନଥିଲେ। ଏଣେ ପ୍ରତ୍ୟହ ସଂନ୍ଧ୍ୟା ପରେ ସାଧୁଙ୍କ ନିକଟକୁ ଯାଇ ଅର୍ଦ୍ଧରାତ୍ରରେ ଫେରୁଥିଲେ। ରୋଷେୟା ଯଦୁ ପଧାନ ଆକଟ କଲା। ଦିନେ ରାତିରେ ଯଦୁ ପଧାନ ରୋଷେଇ ସାରି ଜଗିଛି । ଧରଣୀଧର ଆସୁ ନ ଥିଲେ ରାତି ଅଧ ହେଲାଣି। ଜଗି ଜଗି ଆଖି ଲାଖି ଯାଇ ଥିଲା। ହଟାତ ଏକ ବିକଟାଳ ଶବ୍ଦ ହେଲା। ଦେଖିଲା- ଧରଣୀଧର ଭୂତ ଭଳି ବେଶ ହେଇ ଆସିଛି। ବିଭନ୍ନ ବିକଟାଳ ଶବ୍ଦ କରୁଛି। ଯଦୁ ପଧାନ ଭୟ ପାଇଲା। ଡରରେ ବିକଳ ହେଇ କାନ୍ଦିବାକୁ ଲାଗିଲା।

ତହିଁ ଆରଦିନ ଯଦୁ ପଧାନ ଘରକୁ ପଳାଇ ଯିବ ବୋଲି ଯିଦି ଧରିଲା। ଧରଣୀଧର ସଲାସୁତୁରା କରି ରଖାଇଲେ। କଥା ଦେଲେ ଯେ - ସେ ଆଉ ଭୂତ ହେଇ ଡରେଇବେ ନାହିଁ । କିନ୍ତୁ ସର୍ତ୍ତ ରହିଲା ସେ ସାଧୁଙ୍କ ନିକଟକୁ ଯିବା କଥା କାହାକୁ ହେଲେ କହିବ ନାହିଁ। ଏହାପର ଠାରୁ ଦୁହେଁ ଭଲରେ ଚଳିଲେ।
କଟକରେ ରହିବା ଦିନଠାରୁ ତା’ର କୌଣସି ଅସୁବିଧା ହୋଇ ନଥିଲା। ମହାନଦୀ ପାଣିରେ ସ୍ନାନ, ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ପରିଧାନ କରିବାରୁ ଧରଣୀଧରର ଚେହେରା ଆଉଟା ସୁନା ଭଳି ଫିଟିବାକୁ ଲାଗିଲା। କଟକରେ ଚାହୁଁ ଚାହୁଁ କେତେ ବର୍ଷ ବିତିଗଲା। ସର୍ଭେ ଟ୍ରେନିଂ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଧରଣୀଧର ପ୍ରଶଂସାପତ୍ର ହାସଲ କଲେ।
------ *** -------
ଆମୁଣି, ହାଣ୍ଡିଭଙ୍ଗା, କେନ୍ଦୁଝର-31, ମୋ-9437718500

କ୍ରମଶଃ ପଢିବାକୁ ପାଇବେ....
(ଯଦି ଆପଣ ନୂଆ ଆଉ ଏହାର ପୂର୍ବ ଭାଗ ପଢିବାକୁ ଚାହାଁନ୍ତି... ଦୟାକରି ମୋ ଫେସବୁକ୍ ପେଜକୁ ଯାଆନ୍ତୁ)

ବି.ଦ୍ର.‌- ୧. କଟକ ସର୍ଭେ ସ୍କୁଲ (Cuttack Survey school)ର ସ୍ଥାପନା ହେଇଥିଲା ୧୮୭୬ ମସିହାରେ। ଏହା ପରବର୍ତ୍ତୀ କାଳରେ ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞିରିୟରିଂ ( BOSE) ଭାବେ ପରିଚିତ।

୨.ଶୁଣାଯାଏ ଧରଣୀଧର ଜେଲ କାଟିବା ପରେ ଏହି ବାବାଜୀଙ୍କ ପ୍ରଭାବରେ ଆସି ଆଉ କେନ୍ଦୁଝର ଫେରି ନଥିଲେ। ଆଜୀବନ ବାବାଜୀ ହୋଇ ରହି ଯାଇଥିଲେ।

ଏହା କେନ୍ଦୁଝରର ଗର୍ବ ଓ ଗୌରବ ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ନେଇ କାହାଣୀଟି ଗତିଶୀଳ। କେନ୍ଦୁଝରର ଅନେକ ଲେଖକଙ୍କ ଇତିହାସକୁ ପଢି ସାରିଲା ପରେ ସହଜରେ କିପରି ବିପ୍ଳବୀ ଧରଣୀଧରଙ୍କୁ ବୁଝିହେବ ଚେଷ୍ଟା କରିଛି। ଭୁଲ୍ ତ୍ରୁଟି ରହିଲେ କ୍ଷମା କରିବେ। ଏହା ଆପଣଙ୍କୁ କିପରି ଲାଗୁଛି ଜଣାଇବାକୁ ଅନୁରୋଧ... ଯାହା ପରବର୍ତ୍ତୀ ଭାଗ ଲେଖିବା ପାଇଁ ପ୍ରେରଣା ଯୋଗାଇବ। ନମସ୍କାର। ଜୟ ଜଗନ୍ନାଥ।

ସୌଜନ୍ୟ- ଖଣ୍ଡାଧାର ନିଉଜ।

7
2134 views