logo

ଦିନ ମଜୁରିଆ ମଙ୍ଗୁ ଜୁଆଙ୍ଗ କୁ ଚିକିତ୍ସା ସୁବିଧା ଯୋଗାଇବାକୁ ନିବେଦନ।

ଦିନ ମଜୁରିଆ ମଙ୍ଗୁ ଜୁଆଙ୍ଗ କୁ ଚିକିତ୍ସା ସୁବିଧା ଯୋଗାଇବାକୁ ନିବେଦନ।

ଗୋନାସିକା -୧୫/୦୨(ଖଣ୍ଡାଧାର ନିୟୁଜ) କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଘୁଙ୍ଗି ଗାଁରେ ମଙ୍ଗୁ ଜୁଆଙ୍ଗର ଘର। ପର ଘରେ କାମ କରି ମଜୁରୀ ଆଣି ପରିବାର ପାଳେ। ବାଡ଼ିରେ କାମ କରୁଥିବା ସମୟରେ ତଳେ ପଡ଼ିଗଲା। ମୁଣ୍ଡରେ ଆଘାତ ଲାଗିଛି। ଜଟିଳ ସମସ୍ୟା ରହିଛି। ଡାକ୍ତର ପରାମର୍ଶ ଦେଇଛନ୍ତି ବିଶ୍ରାମ ନେବାକୁ। ଦିନ ମଜୁରିଆ ମଙ୍ଗୁର ଔଷଧ ଓ ନିତିଦିନ ଖାଇବା ପାଇଁ ଅର୍ଥ ନାହିଁ। ସେ ନିଜର ଏ ଜଟିଳ ସ୍ଵାସ୍ଥ୍ୟ ସମସ୍ୟାର ଚିକିତ୍ସା କରିବ କେମିତି, ପରିବାର ପାଳିବ କେମିତି, ଏ ପ୍ରଶ୍ନ ଆଜି ଉଠିଛି।
ଗତ ସପ୍ତାହରେ ବାଡ଼ିରେ କାମ କରୁଥିବା ସମୟରେ ମଙ୍ଗୁ ତଳେ ପଡ଼ିଗଲା। ମଣ୍ଡରେ ଆଘାତ ଲାଗିଲା। ଚେତାଶୂନ୍ୟ ହୋଇଗଲା। ତାକୁ ଘର ଲୋକେ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଦେଲେ। ସେଠିକାର ଡାକ୍ତର କ'ଣ ଟିକିଏ ପ୍ରାଥମିକ ଚିକିତ୍ସା କରିଦେଇ, ତାକୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଲେ। ସେଠାରେ ଡାକ୍ତର ମଙ୍ଗୁର ପରୀକ୍ଷା କଲେ। ଦେଖିଲେ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡ ଫାଟିଛି। ଆବଶ୍ୟକ ସର୍ଜରୀ କରିବାକୁ ପଡ଼ିବ ବୋଲି କହିଲେ। ରକ୍ତ ଯୋଗାଡ଼ କରିବାକୁ ମଧ୍ୟ ପରାମର୍ଶ ଦେଲେ। ମଙ୍ଗୁକୁ ଡାକ୍ତରଖାନାରେ ବେଡ୍ ମିଳିଲା ନାହିଁ। ସେ ଥାଏ ଟ୍ରମା କେୟାର ସେଣ୍ଟରରେ। ମଙ୍ଗୁ ସାଥିରେ ଥାଏ ତା' ସ୍ତ୍ରୀ ଯେକି ଆଠ ମାସର ଅନ୍ତଃସତ୍ତ୍ୱା। ପାଖରେ ଅର୍ଥ ନାହିଁ। ସର୍ଜରୀ ହେଲେ ରକ୍ତ ଯୋଗାଡ଼ କରିବା, ଔଷଧ ଆଣିବା ସହିତ ଅନ୍ୟାନ୍ୟ କାମ ସେ କରି ପାରିବ ନାହିଁ।‌ ସହଜେ ମୁର୍ଖ ମହିଳା। ଶେଷରେ ଡାକ୍ତର କିଛି ଚିକିତ୍ସା କରି, ଔଷଧ ଦେଇ ମଙ୍ଗୁକୁ ଡାକ୍ତରଖାନାରୁ ଖଲାସ କରିଦେଲେ। ଏକୋଇଶ ଦିନ ପରେ ପୁଣି ଦେଖାକରିବାକୁ ପରାମର୍ଶ ଦେଲେ।
ମଙ୍ଗୁ ନିଜ ଅର୍ଥରେ ବଜାରରୁ ମଧ୍ୟ କିଛି ଔଷଧ କିଣିଲା। ଏବେ ମଙ୍ଗୁ ନିଜ ଘରେ ଘୁଙ୍ଗିରେ। ସେ କାମ କରି ପାରିବ ନାହିଁ। ତା' ସ୍ତ୍ରୀ ର ମଧ୍ୟ ସେହି ସମାନ ଅବସ୍ଥା। କାମ ନାହିଁ ତ, ମଜୁରୀ ନାହିଁ। ତିନି ପ୍ରାଣୀର ପରିବାର। ଖାଇବେ କ'ଣ ? ଔଷଧ ଆଣିବେ କେଉଁଠୁ? ପୁଣି କଟକ ଯିବ ଏକୋଇଶି ଦିନ ପରେ। ବାଟ ଖର୍ଚ୍ଚ କିଏ ଦେବ? ଏସବୁ ପ୍ରଶ୍ନ ଘାରିଛି ମଙ୍ଗୁକୁ, ତା' ପରିବାରକୁ।
ଏ ଖବର ଆସିଛି ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ର ଦୃଷ୍ଟିକୁ। ସଙ୍ଗେ ସଙ୍ଗେ ଆଶାର ସ୍ଥାନୀୟ ସ୍ଵେଚ୍ଛାସେବୀ ବିଜୟ କୁମାର ଘଣା ଯାଇ ଭେଟିଲେ ମଙ୍ଗୁର ପରିବାରକୁ। ପୁରା ଘଟଣା, ଚିକିତ୍ସା, ଡାକ୍ତରଙ୍କ ପରାମର୍ଶ, ଔଷଧ, ଆର୍ଥିକ ଅବସ୍ଥା କଥା ବୁଝିଲେ।
"ଆଶା" ସଙ୍ଗେ ସଙ୍ଗେ ଏ ସମସ୍ତ ବିଷୟ ଜୁଆଙ୍ଗ ଉନ୍ନୟନ ସଂସ୍ଥାର କର୍ମଚାରୀଙ୍କୁ ଜଣାଇ, ମଙ୍ଗୁର ଚିକିତ୍ସା, ଔଷଧ ସହିତ ବର୍ତ୍ତମାନ ପାଇଁ ତା'ର ନିତିଦିନିଆ ଖାଇବା ବିଷୟ ବୁଝିବାକୁ ଅନୁରୋଧ କଲା। ଜୁଆଙ୍ଗ ଉନ୍ନୟନ ସଂସ୍ଥାର କର୍ମଚାରୀ ଉତ୍ତରରେ କହିଲେ - " ଆମର ସେପରି କୌଣସି ଯୋଜନା ନାହିଁ। ଔଷଧ ବା ଚିକିତ୍ସା ପାଇଁ ଆମେ ଖର୍ଚ୍ଚ ଦେଇ ପାରିବୁ ନାହିଁ। ଯଦି ରାସନ୍ ର ଅସୁବିଧା ଥାଏ, ତେବେ ଆମେ ବ୍ଲକ୍ କତୃପକ୍ଷଙ୍କୁ କହି ଯୋଗାଡ କରି ଦେଇପାରୁ।" ଦୁଃଖର କଥା, ଆଦିମ ଜନଜାତି ଜୁଆଙ୍ଗଙ୍କ ସାମଗ୍ରିକ ବିକାଶର ଭାର ନେଇଥିବା ଏ ସଂସ୍ଥା , ଜଣେ ଗରିବ, ଦିନ ମଜୁରିଆ, ଅସହାୟ, ଜଟିଳ ସ୍ଵାସ୍ଥ୍ୟ ସମସ୍ୟା ସହିତ ଜୁଝୁଥିବା ଜଣେ ଜୁଆଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ, ଯୋଜନାର ଦ୍ଵାହି ଦେଇ ହାତ ଟେକିଦେଲା। ଏ ଖବର ଲେଖାହେବା ପର୍ଯ୍ୟନ୍ତ, ଏ ସଂସ୍ଥା ତରଫରୁ କୈ।ଣସି ଅଧିକାରୀ ମଙ୍ଗୁକୁ ଭେଟିବାକୁ ଉଚିତ ମଣି ନାହିଁ। ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ଗତକାଲି ଚାଉଳ, ଡାଲି, ସୋରିଷ ତେଲ, ଚୁଡା, ଗୁଡ, ଲୁଣ, ମସଲା, ସାବୁନ୍, ନଡ଼ିଆ ତେଲ, ଆଳୁ, ପିଆଜ, ପରିବା ଇତ୍ୟାଦି ମଙ୍ଗୁ ଘରେ ଦେଇ ଆସିଛନ୍ତି। ତା ସହିତ ମଙ୍ଗୁର ସ୍ଵାସ୍ଥ୍ୟ ଅବସ୍ଥା ବୁଝି, ତା'ର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ଵେଚ୍ଛାସେବୀଙ୍କ ମଧ୍ୟରେ ଥିଲେ ଶ୍ରୀମତୀ ମିନତୀ ମହାନ୍ତ, ଶ୍ରୀମତୀ ସତ୍ୟଭାମା ମହାନ୍ତ, ଶ୍ରୀମତୀ ଜୟନ୍ତୀ ମହାନ୍ତ ଏବଂ ଶ୍ରୀମାନ ବିଜୟ କୁମାର ଘଣା। ଦେଖାଯାଉ, ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ମଙ୍ଗୁକୁ କିପରି ସାହାଯ୍ୟ କରୁଛନ୍ତି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

10
436 views