logo

"ପୂଣ୍ୟଭୂମି ଆମୁଣି ଗାଁ'ରୁ ପ୍ରଜା ବିଦ୍ରୋହର ଶଙ୍ଖନାଦ।"

"ପୂଣ୍ୟଭୂମି ଆମୁଣି ଗାଁ'ରୁ ପ୍ରଜା ବିଦ୍ରୋହର ଶଙ୍ଖନାଦ।"
-- ଘନଶ୍ୟାମ_ପଲେଇ

ଭାଗ-୧

ସନ୍ଧ୍ୟା ଟହଲ ସମୟରେ ମହାରାଜା ଧନୁର୍ଜ୍ଜୟ ନାରାୟଣ ଭଞ୍ଜଙ୍କ ନଜର ପଡିଲା ଜଣେ ଉଆସ ଦରଆନ୍‍ ଉପରେ। ସେ ତାକୁ ଭଲମନ୍ଦ ପଚାରିବାକୁ ଯାଇ କହିଲେ – କ’ଣ ମାଟିଆ ... ସବୁ କୁଶଳ ମଙ୍ଗଳ ତ..?

ସେ କୃତାକୃତ୍ୟ ହେଇ ଉଠିଲା। ମଳୁ ଖୋଜୁଥିଲା କାକର ପାଣି…ବଇଦ କହିଲା ଦେ ତୋରାଣି। ମନ କଥା କହିବ କହିବ ହେଇ ସୁଯୋଗ ପାଉ ନ ଥିଲା, ଆଜି ପାଇଛି ଯେତେବେଳେ ଛାଡିବାର ନାହିଁ । ସଙ୍ଗେ ସଙ୍ଗେ ହାତ ଯୋଡି କହିଲା- “ମହାପୁରୁ! ଆମ ଗାଁ ଲଇଛଣିଆଁର ପୁଅ ଧରଣୀଧର ଭଉଁତ ପାଠ ପଢିଛି। ଆକାଶର ତାରା ଗଣି ଦେଉଛି, ପାଦରେ ଭୂମି ମାପୁଛି। ଭଉଁତ ଛାନ୍ଦବନ୍ଦି ଗୀତ ଶିଖିଛି। ଦେଖିବା ହେଉନ୍ତୁ ତା’ର ତାଳପତ୍ର ଲେଖା”। କହି ତାଳପତ୍ର ଲେଖାକୁ ବଢେଇ ଦେଲା ରାଜାଙ୍କ ହାତକୁ।
ମହାରାଜ ଦେଖି ବଡ ଆଶ୍ଚର୍ଯ୍ୟ ହେଲେ। ଏହା ତ ଲୀଳାବତୀ ସୂତ୍ର... ଆଛା ଆଛା ଲୋକଙ୍କ ମୁଣ୍ଡରେ ଢୁକେ ନାହିଁ। ବଡ ଗହନ ପାଠ ଇଏ। ପୁଣି ବାଇଗଣ ମଞ୍ଜି ଭଳି ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖିଛି। ଗୋଟେ ଛାର୍ ମାଳ ଭୂୟାଁ ପିଲାଟା ଲେଖିଛି... କାଇଁ ତାଙ୍କ ମନକୁ ପରତେ ଗଲେ ନାହିଁ। ମହାରାଜା ଆଦେଶ ଦେଲେ – “ ଧରଣୀକୁ ଏଠାକୁ ଆଣ… ତାକୁ ଦେଖିଲେ ସନ୍ଦେହ ଦୂର ହେବ”।

ମାଟିଆ ପ୍ରଧାନର ଖୁସି କହିଲେ ନ ସରେ। ଭାବିଲା- “ମୋ’ ଗାଁ ପିଲାଟି ଉପରେ ଯଦି ରାଜାଙ୍କ ଅlଶୀବାର୍ଦ ରହିଲା, କୁଳର ନାଁ ରହିବ। ସେ ଏବେ ଆମ ଗାଁ’ସ୍କୁଲ କୁସୁମିତା ପ୍ରାଥମିକ ଶିକ୍ଷା ଲାଭ କରି ପାଠରେ ଡୋରି ବାନ୍ଧିବା ଉପରେ। କାଳେ ରାଜା ଆଶୀର୍ବାଦ କଲେ ବାହାରେ ଯାଇ ଉଚ୍ଚ ଶିକ୍ଷା ଲଭିବ।“ ତାକୁ ଆଉ ତର ସହିଲା ନାହିଁ। ରାତାରାତି ଯାଇ କୁସୁମିତା ଗାଁ’ରେ ହାଜର। ଧରଣୀଧରର ବାପା ଲଇଛଣ ନାୟକ ଓ ମାତା ବାଇଗଣୀ ଦେଇଙ୍କୁ କହିଲା- “ମହାରାଜଙ୍କ ଆଦେଶ! ଆଇଲା ସକାଳୁ ଧରଣୀ କେଞ୍ଜରୀ ଗଡକୁ ଯାଇ ମହାରାଜଙ୍କ ହଜୁରରେ ପାଠ ପରୀକ୍ଷା ହେବ। ନ ଗଲେ ତମର ଗାଇ, ମଇଁଷି ଛେଳି ମେଣ୍ଢା ସବୁ ଅଡେଇ ନେଇ ଯିବେ ଜାଣିଥା।“

ମୁଣ୍ଡରେ ପଥର ପଡିଥିଲେ ବି ଏତେ ଡରନ୍ତେ ନାହିଁ। ଡରରେ ଥରିଲେ ସଭିଏଁ। ମାଟିଆ ପ୍ରଧାନ ଏମାନଙ୍କ ଏପରି ଅବସ୍ଥା ଦେଖି କହିଲା‌- ଡରିବାର କିଛି ନାହିଁ! ଧରଣୀ ପାଠ ପରୀକ୍ଷା ଦେଲେ... ରଜା ଘରେ ଚାକିରୀ ମିଳିବ।

ତଥାପି ଏମାନଙ୍କ ଡର ଯାଇ ନଥାଏ। ରାଜା ଗଜା ଲୋକ ... ଯାହା ବୁଝିଥିବେ ସେଇଆ। ରାତିରେ ଆଉ ସାରା ପରିବାରରେ କାହାକୁ ନଦ ନାହିଁ। ବଡ ପୁଅ ଗୋପାଳ ଆଉ ସାନ ପୁଅ ଧରଣୀ (ପଞ୍ଚମ ସନ୍ତାନ), ବାପାଙ୍କ ପାଖରେ ଆଉ ମାଆ ପଖରେ ଚାରି ଭଉଣୀ ଜାକିଜୁକି ହେଇ ବସିଥାନ୍ତି। ଆଠ ପ୍ରାଣୀ ଘରେ ରହୁଥିଲେ ବି ଘରଟା ଶୂନାଶାନ ହେଇ ଉଠିଲା। ଘର ଭିତରେ ମଶାଣିର ନିର୍ଜନତା ଖେଳି ବୁଲିଲା। କାହାରି ମୁଖରେ ସୁଖ ନାହିଁ...
ଯେମିତି ସେମିତି ହେଉ ସକାଳ ପାହିଲା। ଧରଣୀଧର ମା’ଙ୍କ ଆଖିରେ ଲୁହ ଦେଖି କହିଲେ- ମା’ ତୁ କାଇଁ କାନ୍ଦୁଛୁ!.. ମାହାରାଜା ପାଠ ପଚାରିବା ହେଲେ ପଚାରନ୍ତୁ, ଯାହା ଜାଣିବି କହିବି, ତେଣିକି ମହା ତାରିଣୀ ଯାହା କରିବେ।

ମା’ ବାଇଗଣୀ ଦେଇ ଧରଣୀଙ୍କୁ କୋଳେଇ ନେଇ ଦୁଇ ଆଖିରୁ ଲୁହ ଝରାଇ କହିଲେ- ଯା... ନାଇଁରେ ଧରଣୀ, ଚାଲିଁ ପାରିବୁ ନାଇଁ, କେଞ୍ଜିରୀ ଗଡ କେଁ ଡେଁ ଧୂରିଆ ଅଛିଁ।

ଧରଣୀଧର ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ- “ମହାରାଜା ପାଠ ପଚାରିବାକୁ ଡାକିଛନ୍ତି। ନାଇଁଗଲେ ବାନ୍ଧି ନେଇଯିବେ। ପାଠରେ ପାସ୍‍ କଲେ ବାବୁ ହେବି ଜାଣିଥା। ଘୋଡାରେ ବସି ଗାଁକୁ ଆସିବି।“
କ୍ରମଶଃ....

ବି.ଦ୍ର.‌- ଟିକାରାମ ନାଏକ ( ମାଳ ଭୂଆଁ ଜାତିର) ତାଙ୍କର ପୁତ୍ର ହେଉଛନ୍ତି ଲଈଛଣ (ଲକ୍ଷ୍ମଣ) ନାଏକ ଆଉ ସେମାନଙ୍କ ସନ୍ତାନ ସବୁ ହେଲେ- ୧. ଗୋପାଳ (ପୁଅ) ୨. ତରା, ୩. ରଈବାରି, ୪. ଆସଲ, ୫.ଧରଣୀଧର (ପୁଅ) ଓ ୬. ମଙ୍ଗଳୀ


*ଆମୁଣି, ଝୁମ୍ପୁରା, କେନ୍ଦୁଝର, ଫୋନ ନଂ -9437718500

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

4
409 views