logo

*୧୦ଦଫା ଦାବି ନେଇ ନାଲକୋ ମୁଖ୍ୟ ରାସ୍ତାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା*


ଦାମନଯୋଡି: କୋରାପୁଟ ଜିଲ୍ଲା ଦାମନଯୋଡିଠାରେ ଅବସ୍ଥାପିତ ନବରତ୍ନ ଉଦ୍ୟୋଗ ନାଲକୋ ବିରୁଦ୍ଧରେ ୧୦ ଦଫା ଦାବି ନେଇ କୋରାପୁଟ ଜିଲ୍ଲା କଂଗେସ ସଭାପତି ରୂପକ ତୁରୁକ ଙ୍କ ନେତୃତ୍ୱରେ ମୁଖ୍ୟ ରାସ୍ତା ଅବରୋଧ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ଶହ ଶହ ଲୋକ ବସିଛନ୍ତି । ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କଂଗେସ ବିଧାୟକ ଦଳ ନେତା ତଥା ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ବିଧାୟକ ପ୍ରାର୍ଥୀ କୃଷ୍ଣ କୁଲଦୀପ, ପୂର୍ବତନ ବିଧାୟକ ନିମାଇଁ ସରକାର, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମଝି, ଜିଲ୍ଲାପରିଷଦ ମିହିର କୁଲଦୀପ ଙ୍କ ସମେତ ଜିଲ୍ଲାର ବହୁ କଂଗ୍ରେସ କର୍ମୀ ଏହି ଧାରଣାରେ ସାମିଲ ହୋଇଛନ୍ତି । ନାଲକୋ ଦ୍ଵାରା ପ୍ରଭାବିତ ସମସ୍ତ ବାସହରା ଓ ଜମିହରା ପରିବାର ଲୋକଙ୍କୁ ଶିକ୍ଷା ଭିତ୍ତିକ ନିଯୁକ୍ତି କିମ୍ୱା ନିଯୁକ୍ତି ପର୍ଯ୍ୟନ୍ତ ମାସିକ ବେକାରୀ ଭତ୍ତା, ଡେଙ୍ଗାଜାନିଗୁଡ଼ା ଗ୍ରାମକୁ ଡିପି ମାନ୍ୟତା, ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ମତାମତ ଆଧାରରେ ଅଞ୍ଚଳରେ ଉନ୍ନତି ମୂଳକ କାର୍ଯ୍ୟ, ପାରିପାର୍ଶ୍ବିକ ଅଞ୍ଚଳରେ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା, ଦାମନଯୋଡିରେ ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡ ଓ ଛକ ମାନଙ୍କରେ ସୁଲଭ ଶୌଚାଳୟ, ସ୍ଥାନୀୟ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଓ ବୈଷୟିକ ଶିକ୍ଷାଦାନ ଉପରେ ଗୁରୁତ୍ବ, ଯେଉଁ ଠିକା ଶ୍ରମିକ କାର୍ଯ୍ୟ ସ୍ଥଳରେ ଦୁର୍ଘଟଣା ଜନିତ ମୃତ୍ୟୁ ହେବ, ସେହି ପରିବାରକୁ ଆର୍ଥିକ ସହାୟତା ସହିତ ପରିବାରର ଜଣେ ସଦସ୍ୟକୁ ନିଯୁକ୍ତି ବ୍ୟବସ୍ଥା ଆଦି ୧୦ ଗୋଟି ଦାବି ରହିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ଶ୍ରୀ ତୁରୁକ କହିଛନ୍ତି । ଉକ୍ତ ଧାରଣାରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ , ଗ୍ରାମବାସୀ, ଯୁବପିଢୀ ସାମିଲ ହୋଇଛନ୍ତି । ଧାରଣା ସ୍ଥଳରେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାମନଯୋଡି ପୁଲିସ ସମେତ ଏକ ପ୍ଲାଟୁନ ସୁରକ୍ଷା କର୍ମଚାରୀ ମୁତୟନ ହୋଇଛନ୍ତି ।

193
6512 views