
ଗ୍ରାମେ ଗ୍ରାମେ ରାମ କଥା।
ଗ୍ରାମେ ଗ୍ରାମେ ରାମ କଥା
- ତପନ କୁମାର ବେହେରା -
ଧର୍ମ ଦାଣ୍ଡେ ଯେବେ କଳି ପ୍ରବେଶ କରନ୍ତି ସେବେ ଜନ୍ମ ନିଅନ୍ତି ଯୋଗଜନ୍ମା। ଉତ୍କଳ ଭଳି ଦେବ ମାଟିରେ ଅନେକ ସାଧୁ ସନ୍ଥଙ୍କ ସମାଗମରେ ପବିତ୍ର ହୋଇଥିଲା ଧରାପୃଷ୍ଠ । ଯେମିତି ଶ୍ରୀଚୈତନ୍ୟ ଆସିଥିଲେ କଳି କଳାରୁ ମୁକ୍ତିର ପଥ ଦେଖାଇବାକୁ। ଉତ୍କଳ ସମେତ ସାରା ଭାରତ ବର୍ଷରେ ଶ୍ରୀଚୈତନ୍ୟ, ଗୁରୁ ନାନକ, ଚାଣକ୍ୟ, ଆଚାର୍ଯ୍ୟ ବାସୁଦେବ, ଆଚାର୍ଯ୍ୟ ଭେଙ୍କଟ, ରାମକୃଷ୍ଣ ମହନ୍ତ, ଆଚାର୍ଯ୍ୟ ନାଥମୁନି, ଶଙ୍କର ଆଚାର୍ଯ୍ୟ, ସ୍ୱାମୀ ବିବେକାନନ୍ଦ, ପଞ୍ଚସଖା, ଠାକୁର ଅଭିରାମ ପରମହଂସ, ଭୀମ ଭୋଇ,ଗୁରୁ ଦ୍ରୋଣ ଆଚାର୍ଯ୍ୟ, ରାମକୃଷ୍ଣ ପରମହଂସଙ୍କ ଭଳି ସାଧୁ ସନ୍ଥ ଓ କବିଙ୍କ ଦ୍ୱାରା କୀର୍ତ୍ତନ ମାଧ୍ୟମରେ ଗାଁ ଗାଁ ରେ ପ୍ରଚାର ପ୍ରସାର ହେଉଥିଲା ରାମଙ୍କ ଗାଥା ହରିଙ୍କ ଗାଥା କୃଷ୍ଣ ପ୍ରେମରେ ସମସ୍ତଙ୍କୁ ବାନ୍ଧିବାର ନମୁନା ମହାପ୍ରଭୁ ଶ୍ରୀଚୈତନ୍ୟଙ୍କୁ ବେଶ ଭଲ ଭାବେ ଜଣା ଥିଲା। ସେ ସମୟରେ ଉତ୍କଳର ଗଜପତି ଥାନ୍ତି ରାଜା ପ୍ରତାପରୁଦ୍ର ଦେବ। ସେବେଠୁ ତ ଆରମ୍ଭ ହୋଇଥିଲା କୀର୍ତ୍ତନର ପରମ୍ପରା।
ଏହାକୁ ବିକଶିତ କରିବା ପାଇଁ ପରେ ପରେ ଅନ୍ୟ ସାଧୁ ସନ୍ଥଙ୍କ ଜନ୍ମ ଆମ ପାଇଁ ଗୌରବ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ବୋଲି ମାନିବା କିଛି ଭୁଲ ନୁହେଁ।
ଏ ଜାତି ସବୁ କିଛି ସମର୍ପଣ କରିସାରିଛି ଏ ଜାତିର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥଙ୍କ ପଦାରବିନ୍ଦରେ। ହରି ହରାୟଃ ନମଃ କୃଷ୍ଣ ଯାଦବାୟଃ ନାମରେ ଦେହରୁ ନିଗାଡ଼ି ସାରିଛି ଲୁହ ଆଉ ଲହୁର ଭାବନାକୁ। ମୋକ୍ଷ ପାଇବା ପାଇଁ ନାମରସର ଅମୀୟ ସୁଧାକୁ ଗ୍ରାମେ ଗ୍ରାମେ ବାଣ୍ଟି ଚାଲିଛି ନାମ କୀର୍ତ୍ତନରେ।
କୀର୍ତ୍ତନରେ ଦେହ ମନ ପ୍ରାଣ ଆପେ ଆପେ ଟାଙ୍କୁରୀ ଉଠେ। ମନ ନାଚିବାକୁ ବାଧ୍ୟ କରେ। ଦେହ ସେ ପବିତ୍ର ନାମରସରେ ଭାସିବାକୁ ଚାହେଁ। ପ୍ରାଣ ନିବେଦନ କରିବାକୁ ଚାହେଁ।
ଆଜିକୁ ଛଶହ ବର୍ଷରୁ ଉର୍ଦ୍ଧ ସମୟ ହେବ। କୀର୍ତ୍ତନର ଯେଉଁ ମହତ୍ୱ ତାହା ପ୍ରତିପାଦନ ହେଉନାହିଁ ବୋଲି ଜନମାନସରେ ଗୁଞ୍ଜରିତ ହେଉଛି। ଗ୍ରାମେ ଗ୍ରାମେ ରାମଙ୍କ ଗାଥା ଆଜି ଲୋପ ପାଇବାକୁ ବସିଲାଣି। ସେ ବାସନା ନାହିଁ ସେ ଭକ୍ତି ନାହିଁ। କେବଳ ନିଜକୁ ନିଜେ ସଜେଇ ଚାଲିଛୁ ଦେଖିବାର ଢଙ୍ଗରେ।
ମହାପ୍ରଭୁଙ୍କୁ ନେଇ ଅନୁଭୂତି ବଖାଣିଲେ ମନେପଡ଼ନ୍ତି ଦାସିଆ ବାଉରୀ, ଭକ୍ତ ସାଲବେଗ, କରମା ବାଈ ଏବଂ ପାଦରେ ଲଗାନ୍ତି ଅଳତା, ପାଉଁଜି, ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ନୂଆ ବୋହୁ ପରି ସଜେଇ ହୁଅନ୍ତି ଦେବଦାସୀ ଯେତେକ।
ଏହି ସମସ୍ତେତ ଅଣ୍ଟା ଭିଡ଼ିଥିଲେ ମହାପ୍ରଭୁଙ୍କ ନାମକୁ ପ୍ରଚାର କରିବା ପାଇଁ। ଉତ୍କଳର ସମସ୍ତ ପ୍ରାଣୀଙ୍କ ହୃଦୟକୁ ଚିରି ଯଦି ତନତନ କରି ଖୋଜାଯାଏ ତେବେ ମହାପ୍ରଭୁଙ୍କ ପ୍ରେମ କେଉଁଠି ନା କେଉଁଠି ଅଳପ ବହୁତ ମିଳିଯାଉଥିଲା ସେ ସମୟରେ। ମହିମା ମଣ୍ଡିତ ମଣ୍ଡଳ ମହୀରେ ଆଜି ସବୁ ଶୂନ୍ୟସ୍ଥାନ ପାଲଟିଛି।
ମହାପ୍ରଭୁଙ୍କ ମହାମନ୍ତ୍ର ଜପିବା ପାଇଁ ଆଜି ସମୟ ନିଅଣ୍ଟା ପଡୁଛି। କାର୍ଯ୍ୟ ବା କର୍ମ କ୍ଷେତ୍ରରେ ବ୍ୟସ୍ତତା ଭିତରେ ଆମେ ଭୁଲିଯାଉଛେ ଆମ ମାନସିକତାକୁ। ସେଥିପାଇଁ ଆଜି ବିଭୀଷିକା। ଜିହ୍ୱାକୁ ମଦ ମାଂସର ଲାଳସା ଦେଖେଇବା ହେଉ ଅବା ଆଖିରେ ନଗ୍ନତାର ଛବି ସବୁ ଯେମିତି ଅନ୍ଧାରକୁ ଠେଲି ଦେଇଛୁ।
ସେଇଥିପାଇଁ ତ ପୁଣି ରାମରାଜ୍ୟ ଗଠନ ପାଇଁ ଗ୍ରାମେ ଗ୍ରାମେ ରାମଙ୍କ ଗାଥାକୁ ଉପସ୍ଥାପିତ କରିବା ପାଇଁ କୀର୍ତ୍ତନ ଭଜନ ନିହାତି ଆବଶ୍ୟକ ପଡୁଛି। କୀର୍ତ୍ତନର ମୂଳ ଭୂମିକା ଆମେ ଯେମିତି କରି ଚାଲିଛୁ ସେମିତି ନୁହେଁ। ନିଜକୁ ସଜେଇବା ଲକ୍ଷ୍ୟରେ ଯେଉଁ କୀର୍ତ୍ତନ ହେଉଛି ସେମିତି ହେବା ଠିକ ନୁହେଁ। କେବଳ ସମର୍ପଣ ଭାବ ରହିବା ଦରକାର। ସମସ୍ତଙ୍କ ପ୍ରତି ପ୍ରେମ ଭାବ ଭକ୍ତି ଏବଂ ଈଶ୍ୱରଙ୍କ କୃତଜ୍ଞତା ହିଁ ସର୍ବ ଶ୍ରେଷ୍ଠ କୀର୍ତ୍ତନର ଯଥାର୍ଥ।।
ବାଲିପାଟଣା, ବାଲିକୁଦା, ଜଗତସିଂହପୁର
ଭ୍ରାମ୍ୟଭାଷ - ୯୦୮୦୬୨୭୦୦୯