
ଥାଇଲାଣ୍ଡ କୋଳି ଚାଷରେ ସ୍ୱାବଲମ୍ବୀ ହେଲେ ଦୁବୁଲାବେଡ଼ାର ଚାଷୀ ଲକ୍ଷ୍ମଣ ମହାନ୍ତ
ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିପୋଖରୀ ଗ୍ରାମପଞ୍ଚାୟତର ଦୁବୁଲାବେଡ଼ା ଗାଁ ପନିପରିବା ଚାଷ ପାଇଁ ପୂର୍ବରୁ ଖ୍ୟାତି ଅର୍ଜନ କରିଥିବାବେଳେ, ଏବେ ଥାଇଲାଣ୍ଡ କୋଳି ଚାଷ ଏହି ଗାଁକୁ ଆଉ ଏକ ନୂଆ ପରିଚୟ ଦେଇଛି। ଏହି ଗାଁର ଉଦ୍ୟମୀ ଚାଷୀ ଲକ୍ଷ୍ମଣ ମହାନ୍ତ ଉନ୍ନତ କିସମର ଥାଇଲାଣ୍ଡ କୋଳି ଚାଷ କରି ସଫଳ ମାର୍କେଟିଂ ମାଧ୍ୟମରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି।
ପ୍ରଥମେ ସ୍ୱତନ୍ତ୍ର କିସମର ଚାରା ଆଣି ଚାଷ ଆରମ୍ଭ କରିଥିବା ଲକ୍ଷ୍ମଣ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ OMBADC ସୌଜନ୍ୟରୁ ସୌରଚାଳିତ ଗଭୀର ନଳକୂପ ପାଇଥିବାରୁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ମିଳିଛି। ବର୍ତ୍ତମାନ ସେ ବଲସୁନ୍ଦରୀ, ସିଡଲେସ ବେରୀ, ରେଡ ଆପଲ ବେରୀ ଓ ମିସ ଇଣ୍ଡିଆ କିସମର ଥାଇଲାଣ୍ଡ କୋଳି ଚାଷ କରୁଛନ୍ତି।
ଲକ୍ଷ୍ମଣଙ୍କ ବଗିଚାରେ ଫଳୁଥିବା କୋଳି ବଜାରରେ ଉପଲବ୍ଧ ବରକୋଳି ଓ ଗଙ୍ଗା କୋଳି ତୁଳନାରେ ଅଧିକ ସୁସ୍ୱାଦୁ ଓ ଆକର୍ଷଣୀୟ। ଏହି କୋଳି ପ୍ରତି କିଲୋ ୧୦୦ ଟଙ୍କା ଦରରେ ବିକ୍ରି ହେଉଥିବାବେଳେ ଚାଷୀଙ୍କୁ ଭଲ ଆୟ ମିଳୁଛି।
ଥାଇଲାଣ୍ଡ କୋଳି ସହ ସେ ବିଭିନ୍ନ ପନିପରିବା ଓ ଫୁଲ ଚାଷରେ ମଧ୍ୟ ସଫଳ। ତାଙ୍କ ସଫଳତାର ପଛରେ ସହଧର୍ମିଣୀ ସୁକୁମାରୀ ମହାନ୍ତଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟା ଭାବେ ସେ ବାଡ଼ି ବଗିଚାର ସମ୍ପୂର୍ଣ୍ଣ ଯତ୍ନ ନେଇ ସ୍ୱାମୀଙ୍କୁ ସହଯୋଗ କରୁଛନ୍ତି।
OMBADC ସୌଜନ୍ୟରୁ ସୌରଚାଳିତ ଗଭୀର ନଳକୂପ ସହ ଏକ ସୌରଚାଳିତ ଶୀତଳ ଭଣ୍ଡାର ମଧ୍ୟ ସେମାନଙ୍କୁ ମିଳିଥିବାରୁ ଉତ୍ପାଦ ସଂରକ୍ଷଣ ସହଜ ହୋଇଛି। ଦୁବୁଲାବେଡ଼ାର ଏହି ସଫଳତା କାହାଣୀ ଅଞ୍ଚଳର ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।