logo

ଜୀବନ ଗାଥା - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ଜୀବନ ଗାଥା
ନୀଳମଣି ଚାନ୍ଦ

ଜୀବନ, ଶିକ୍ଷକ ପରି ପଢ଼େଇଛି
ହେଲେ ମୁଁ ଶିଖିଛି ଅଳ୍ପ
କାହା ପାଇଁ ସିଏ ଗୀତି ଓ ଗଜଲ୍
କାହା ପାଇଁ ଗାଥା,ଗଳ୍ପ।

ବାସ୍ତବତା ସହ ସ୍ୱପ୍ନର ପାଠ
ସିଏ ମୋତେ ଶିଖାଇଲା
ଠିକ୍ ସମୟରେ ଠିକ୍ କାର୍ଯ୍ୟ କର
ନିର୍ଦ୍ଦେଶ ଯେ ତା'ର ଥିଲା।

ମୋ ପାଇଁ ସିଏରେ ଚିର ଅପାସୋରା
ବର୍ଣ୍ଣବୋଧର ପାଠ
ତା'ଠାରୁ ଶିଖିଲି କେମିତି ସତରେ
ଚାଲିବାକୁ ହେବ ବାଟ ।

ସିଏରେ ଏମିତି ଜଟିଳ ପ୍ରଶ୍ନଟେ
ବୁଝି ବି ଅବୁଝା ରହେ
ପରୀକ୍ଷାଟି କରି କାହାକୁ ଦିଏନି
ମାର୍କ ଶହେରୁ ଶହେ ।

ଜୀଵନଟା ଲାଗେ ଛାଇ ଆଲୁଅର
ସତେ ଗୋଟେ ଖେଳଘର
ବୁଝିଗଲେ ଥରେ ତାକୁ ଠିକ୍ ଭାବେ
ରହେନାହିଁ ତିଳେ ଡର ।

ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

11
1230 views