logo

କବି ଓ କବିତା ସମ୍ପର୍କରେ କେଇ ଧାଡ଼ି - ଉପସ୍ଥାପନା: ବସନ୍ତ କୁମାର ପ୍ରଧାନ

କବି ଓ କବିତା ସମ୍ପର୍କରେ କେଇ ଧାଡ଼ି
*******-***************
ବସନ୍ତ କୁମାର ପ୍ରଧାନ

କବିତା ମାଧ୍ୟମରେ କବି ଆତ୍ମ ପ୍ରକାଶ କରେ l କବିତାରେ କବିତ୍ଵ ପ୍ରସ୍ଫୁଟିତ ହେଲେ କବି ମଣିଷ ଆପେ ଆପେ ଚିହ୍ନା ପଡ଼ିଯାଏ l ସେ ହେଉଛି ପରମାତ୍ମାଙ୍କ ଶାବ୍ଦିକ ସ୍ୱରୂପର ଉପାସକ l ସେ ସତ୍ୟ ଶିବ ସୁନ୍ଦର ର ଉପାସକ ଓ କଳ୍ପଲୋକ ର ଈଶ୍ବର l ଅଗ୍ନି ପୁରାଣରେ କବି ସମ୍ପର୍କରେ କୁହାଯାଇଛି, "ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତିଃ l" ସେ ବ୍ରହ୍ମାଙ୍କ ପରି ନିଜର କଳ୍ପନାରେ ସୁନ୍ଦର ଏକ ସୃଷ୍ଟି ରଚି ପାରେ l ତା'ର ଚେତନାର ଢ଼େଉ ଭୂମିରୁ ଭୂମାକୁ ପରିବ୍ୟାପ୍ତ l ସେ କଲମ ମୁନରେ କଳାର କୋଣାର୍କ ତୋଳି ପାରେ l ସେ ମଧୁସ୍ରାବୀ l ତା'ର ସୂକ୍ଷ୍ମ ଇନ୍ଦ୍ରିୟାନୁଭୂତି ପାଇଁ ସେ କବିଟିଏ ପାଲଟି ଯାଏ l ତା'ର ଚିନ୍ତା ଚେତନାରେ ସେ ପରିବର୍ତ୍ତନ ଆଣିପାରେ l ସେଥିପାଇଁ ତାକୁ କ୍ରାନ୍ତି ପୁରୁଷ କୁହାଯାଏ l ସେ ସର୍ବଦା ନିରପେକ୍ଷ ଓ ସମତାରେ ରହି ଅନ୍ୟର ହିତ କରି ଚାଲିଥାଏ l ନିଜର ବୌଦ୍ଧିକ ଚେତନା ଓ ନିଖାଦ କବିତ୍ଵ କାହା ହୃଦୟକୁ ଛୁଇଁ ଗଲେ ତାହା ତାର ପାଇଁ ପୁରସ୍କାର l କାହାର ନିନ୍ଦା ପ୍ରଶଂସା କୁ ଖାତିର ନକରି ସେ ଆତ୍ମମଗ୍ନ ହୋଇ ସୃଷ୍ଟି କରି ଚାଲିଥାଏ l
କବିତା ସମ୍ପର୍କରେ ବହୁ ଦେଶୀ ଓ ବିଦେଶୀ କବି, ଦା ର୍ଶନିକ ତଥା ଵିଜ୍ଞ ଜନଙ୍କ ମନ୍ତବ୍ୟ ରହିଛି l କବିତା କବି ହୃଦୟର ସ୍ୱତଃସ୍ପୁର୍ତ୍ତ ରସସିକ୍ତ ଅଭିବ୍ୟକ୍ତି l ଚିର ସ୍ରୋତସ୍ୱିନୀ ପରି ତା'ର ପାଦର ନିକ୍ଵଣ ଧ୍ୱନିରେ ଯୁଗ ଯୁଗର ସଭ୍ୟତାକୁ ବିମୋହିତ କରି ଚାଲିଥାଏ l ଏକ ମୋହିନୀ କନ୍ୟା ପରି ଅନ୍ୟ ମନ ପରାଣକୁ ଛୁଇଁ ଗଲେ କବିର କର୍ମ ସାର୍ଥକ ହୁଏ l ସୁକ୍ଷ୍ମ ଇନ୍ଦ୍ରିୟନୁଭୂତି ରୁ ତା'ର ଜନ୍ମ l ବିଭିନ୍ନ ବ୍ୟାକରଣଗତ ନୀତି ନିୟମ, ଛନ୍ଦ, ଉପମା ଅଳଙ୍କାର ଦ୍ୱାରା ଭୂଷିତ କରିବା ହେଉଛି କବିକର୍ମ l ସ୍ୱକୀୟ ଠାଣୀରେ ରୁଦ୍ଧିମନ୍ତ ହୋଇ ଅନ୍ୟର ମନକୁ ଚୋରି କଲେ ସେ କବି କାଳଜୟୀ ହୋଇଯାଏ l କବି ଜୀବନର ଚିରନ୍ତନ ରସଯାତ୍ରା ହିଁ କବିତା l ଆନନ୍ଦ ପ୍ରଦାନ କରିବା ତା'ର ମୁଖ୍ୟ ଧର୍ମ l କବିତା ହେଉଛି ସମାଜର ଦର୍ପଣ l ସମାଜ ର ପ୍ରତ୍ୟେକ ଛବି କୁ ସେ ବକ୍ଷରେ ଧାରଣ କରେ l କବିର ଦକ୍ଷତା ଉପରେ କବିତାର ଭାଗ୍ୟ ନିର୍ଭର କରେ l ସତ୍ୟ ସହିତ ଆନନ୍ଦ ମିଶି ଏକ ଛନ୍ଦୋବଦ୍ଧ ରଚନାର କଳାଶିଳ୍ପ ସବୁବେଳେ ପାଠକୀୟ ସ୍ୱୀକୃତି ଲାଭ କରିଥାଏ l
************************

ବସନ୍ତ କୁମାର ପ୍ରଧାନ
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋବାଇଲ: 7735611484

15
904 views