
ସେଇ ଗୋଧୂଳି ଲଗ୍ନ - ଡଃ ଲିସନ ମହାନ୍ତିଙ୍କ ଦ୍ବାରା ରଚିତ କ୍ଷୁଦ୍ର ଗଳ୍ପ।
ସେଇ ଗୋଧୂଳି ଲଗ୍ନ
ଡା. ଲିସନ ମହାନ୍ତି
ଦଶପଲ୍ଲା , ନୟାଗଡ଼
ମୋବାଇଲ: 74390 58125
ଗୋଧୂଳି ସମୟ, ପକ୍ଷୀମାନଙ୍କ କଳରବରେ ଘଟଗାଁ ହାଟଛକ ମୁଖରିତ। ଗୋରୁଗାଈଙ୍କ ଘର ବାହୁଡ଼ାର ଦୃଶ୍ୟ ବାଟୋଇ ମାନଙ୍କୁ ଆମୋଦିତ କରୁଥାଏ। ହାଟଛକ କୋଣକୁ ଲାଗି ପୁରିଆ ବାବୁ ଓରଫ୍ ପୁରୁଷୋତ୍ତମ ସାହୁଙ୍କ ଥାଏ ଏକ ଛୋଟିଆ ବିସ୍କୁଟ ଦୋକାନ। ଅବଶ୍ୟ ବିଭିନ୍ନ ଭେରାଇଟ୍ ର ବିସ୍କୁଟ ମିଳେ।
ସ୍କୁଲ୍ କାମସାରି ବଜାର ବୁଲିଯିବା ବାହାନାରେ ସୁରେନ୍ଦ୍ର ସାର୍ ଓ ଖନା ସାର୍ ଆସି ପହଁଚିଗଲେ ପୁରିଆ ବାବୁଙ୍କ ଦୋକାନରେ। ଏମିତି ଗପସପ ହେଉ ହେଉ ଖନା ସାର୍ ପଚାରି ଦେଲେ - ପୁରିଆ ବାବୁ, ଏହି ଦୋକାନରୁ କ'ଣ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇ ପାରୁଛ !
ପୁରିଆ ବାବୁଙ୍କ ଉତ୍ତର - କ'ଣ ଆଉ କରିବି ? ଆପଣ ତ ଜାଣି ପାରୁଥିବେ,ଅଧିକା କ'ଣ ବା ଆଉ କହିବି ? ଆପଣ ତ ଜଣେ ସାର୍, କେତେ ପିଲାଙ୍କୁ ବିଦ୍ଯା ବୁଦ୍ଧି, ଜ୍ଞାନ କୌଶଳ ଦେଇ ମଣିଷ କରୁଛନ୍ତି, ସେଥିରୁ ଆମ ପାଇଁ କିଛି ଦେଉ ନାହାନ୍ତି । ବଞ୍ଚିବା ପାଇଁ ତ ଟିକିଏ ରାହା ମିଳି ପାରିବ।
ତାଙ୍କ ମଧ୍ୟରେ କୌଣସି ରକ୍ତ ସଂପର୍କ ନ ଥାଇ ସୁଦ୍ଧା ପୁରିଆ ବାବୁଙ୍କ ଆତିଥ୍ୟ, ସ୍ନେହ, ଶୁଦ୍ଧା ଓ ଆନ୍ତରିକତା ଭାବ ଅଜାଡି ହୋଇପଡୁଥିଲା ସେ ଦୁଇ ଜଣଙ୍କ ଉପରେ | ପୁରିଆ ବାବୁଙ୍କ ଠାରୁ ତାଙ୍କ ଜୀବନ କାହାଣୀ ଖନାସାର୍ ସବୁ ଶୁଣିଲେ । ଠିକ୍ ଅଛି କହି ସେ ଦୁଇ ଜଣ ସାର୍ ଚା ପିଇବା ପାଇଁ ବଜାର ଅଭିମୁଖେ ବାହାରନ୍ତେ ପୁରିଆ ବାବୁ କହିଲେ- ସାର୍ ମୋ କଥା ? ଖନା ସାର୍ କହିଲେ - କାଲି କି ।
ଦୁଇ ଦିନ ଗଡିଗଲା, ବୋଧହୁଏ ସେଦିନ ଥାଏ ଶୁକ୍ରବାର । ସେହି ଗୋଧୂଳି ଲଗ୍ନ । ଖନାସାର୍ ଓ ସୁରେନ୍ଦ୍ରସାର୍ ପହଞ୍ଚିଗଲେ ପୁରିଆ ବାବୁଙ୍କ ଦୋକାନରେ। ଥଟ୍ଟା ମଜା ଗପସପ ହେଉ ହେଉ ପୁରିଆ ବାବୁ ଖନା ସାର୍ ଙ୍କୁ କହିଲେ - ସାର୍, ମୋ କଥା କଣ ଭୁଲିଗଲେ ? କିଛି ତ ଗୋଟିଏ ବାଟ ବତାନ୍ତୁ ।
ସୁରେନ୍ଦ୍ର ସାର୍ ଟିକିଏ ଆକଟ କରି ଖନା ସାରଙ୍କୁ କହିଲେ - ଗାଁରେ କେତେ ପିଲାଙ୍କୁ ପରାମର୍ଶ ଦେଇ ମଣିଷ କରାଉଛ, ଭଲ ବାଟକୁ ଆଣୁଛ , ଘର ସଂସାର ସେମାନଙ୍କର ପୁରିଲା ପୁରିଲା ଲାଗୁଛି ଅଥଚ ମୋ ଭାଇ ବେଳକୁ ଚୁପ୍ ରହୁଛନ୍ତିି, ଏ କି ବିଚାର ଆପଣଙ୍କର ?
ଖନା ସାର୍ ଏହା ଭିତରେ ଜାଣି ସାରିଥିଲେ ଯେ ସୁରେନ୍ଦ୍ର ସାହୁ ଓ ପୁରିଆ ବାବୁ ପରସ୍ପର ଗୋଟିଏ ସଂପ୍ରଦାୟର ଏବଂ ସଂପର୍କରେ ଉଭୟେ ଭାଇ ଭାଇ । ଖନା ସାର୍ , ସୁରେନ୍ଦ୍ର ସାରଙ୍କୁ ଦେଖେଇ କହିଲେ- ଆପଣ ପରା ବିଜ୍ଞାନ ମାଷ୍ଟର, କାହିଁ ବିଜ୍ଞାନର କରାମତି ଟିକିଏ ଦେଖାଉ ନାହାନ୍ତି !
ବିଜ୍ଞାନ ସାର୍ ହେଲେ କଣ ହେବ, ବୁଦ୍ଧି ଟିକେ କମ୍ । ସେ କହିଲେ- ମୁଁ କିଛି ବୁଦ୍ଧି ଦିଅନ୍ତି ଯେ........, କିନ୍ତୁ ଟଙ୍କା ଟିକିଏ ବେଶି ଲାଗିବ । ପୁରିଆ ପାଖରେ ସେତିକି ଧନ ଥିଲେ ତ ।
ଓହୋ, ସେଇଥି ପାଇଁ ବିଜ୍ଞାନକୁ ନେଇ ବଡ଼ ବଡ଼ କଥା କୁହ | ଏଇଆ ନା। ଦେଖ ଆମ କଳାର କରାମତି | ଖନାସାର୍ ଥିଲେ କଳା ର ଛାତ୍ର , କଳାର ପୂଜାରୀ । କହୁଁ କହୁଁ ଖନା ସାର୍ କହିଦେଲେ - କଳା କୁ ନେଇ ବିଜ୍ଞାନ, କିନ୍ତୁ ବିଜ୍ଞାନ କୁ ନେଇ କଳା ନୁହେଁ । ଏପରି ଥଟ୍ଟା ମଜା ଭିତରେ ଖନା ସାର୍, ପୁରିଆ ବାବୁଙ୍କୁ କହିଲେ - ପୁରିଆ ବାବୁ କିଛି ଖରାପ୍ ଭାବିବେ ନାହିଁ, ଆପଣ ଗୁଡିଆ ଛୁଆ, କୌଳିକ ବୃତ୍ତି ଧରନ୍ତୁ, ଦେଖିବେ ପେଟ ଅପୁସା ରହିବନି । ଆସନ୍ତା ରବିବାର ହାଟ, ମା'ଙ୍କୁ ମୁଣ୍ଡିଆ ଟାଏ ମାରି ଚା ଦୋକାନ ଟିଏ ଆରମ୍ଭ କରନ୍ତୁ, ପାଞ୍ଚ କି ଛଅ ଶହ ଟଙ୍କା ଆବଶ୍ୟକ ହୋଇପାରେ । ଆଉ ସେଦିନର ପ୍ରଥମ ଗରାଖ ହେବି ମୁଁ l ସୁରେନ୍ଦ୍ର ସାର, ଆପଣ ବି ଆସିବେ ଅତ୍ୟନ୍ତ ମୋ ତରଫରୁ ସେଦିନ ପାଇଁ ଆପଣଙ୍କୁ ଉପହାର । ହଁ ପୁରିଆ ବାବୁ, ମୋ କଥା ଯେପରି ଭୁଲି ନ ଯାଆନ୍ତି, ସାତ ଦିନ ଦେଖନ୍ତୁ, ନ ହେଲେ ସାତ ଦିନର କ୍ଷତି ଯାହା ହୋଇଥିବ ତା'ର ଭରଣା କରିବାର ଦାୟିତ୍ବ ମୋର |
ରବିବାର, ଖନା ସାରଙ୍କ କଥା ପୁରୁଆ ବାବୁ ରଖିଲେ, ଖନା ସାରଙ୍କ ଆସିବାର ଟିକିଏ ଡେରି ହେଲା। ତଥାପି ସେ କାହାକୁ ଚା ଦେଇ ନ ଥିଲା। ଖନା ସାର୍ ଆଶ୍ଚର୍ଯ୍ୟ ହୋଇଗଲେ । ଏ କି ପ୍ରକାର ଗୁରୁ ଜ୍ଞାନ ! ପୁରିଆ ବାବୁଙ୍କ ପ୍ରତି ଖନା ସାରଙ୍କ ହୃଦୟ ଟିକିଏ ତରଳି ଗଲା।
ସାତ ଦିନ ପରେ ଖନା ସାର୍ ପୁରିଆ ବାବୁଙ୍କୁ ପଚାରିଲେ- ଲାଭ କ୍ଷତି ବିଷୟରେ କିଛି କୁହ । ପୁରିଆ ବାବୁ ଖନା ସାରଙ୍କ ହାତ ଧରି କହିଲେ- ସାର୍ ଆଉ କିଛି ପଚାରନ୍ତୁ ନି, ବରଂ ଆଉ କିଛି ପରାମର୍ଶ ଦିଅନ୍ତୁ । ଚଟାପଟ୍ ଖନା ସାର୍ ଉତ୍ତର ଦେଲେ- ଗୁଡ଼ିଆ ଛୁଆ ହୋଇ ଆମକୁ ପଚାରୁଛ କ'ଣ ? ହଉ, କାଲିଠୁ ଅଟାରେ ବୋଲଡୋର ଅର୍ଥାତ ଗୁଲୁଗୁଲା କର, ଅତ୍ୟନ୍ତ ସକାଳ ଜଳଖିଆ ଟା ଆପଣଙ୍କ ପାଖରେ ହୋଇଯିବ। ସେତେବେଳକୁ ତା' ପାଖରେ ମୂଳଧନ ହଜାରେ କି ପନ୍ଦର ଶହ ଟଙ୍କା ଥିଲା, ଏଣୁ କାଳବିଳମ୍ବ ନକରି ଜଳଖିଆ ଆରମ୍ଭ କଲା । ଧୀରେ ଧୀରେ ତା'ର ଆର୍ଥିକ ଅବସ୍ଥା ସୁଧାରିବା ସହ ବେଶ୍ ଦୁଇ ପଇସା ରୋଜଗାର କଲା l ଦ୍ୱିମହଲା କୋଠାଟାଏ କିଣିଲା । ତଥାପି ଦିନେ ହେଲେ ଖନା ସାର୍ ଙ୍କୁ ଅବହେଳା କରିନି,ଖନା ସାର୍ ଙ୍କ ଅନୁପସ୍ଥିତିରେ ତାଙ୍କ ବନ୍ଧୁ ବାନ୍ଧବ ତଥା ସାଙ୍ଗସାଥୀ ଙ୍କୁ ଆତିଥ୍ୟ ସେବାରେ ତ୍ରୁଟି କରିନି। ସଂପର୍କ ଗଢି ଉଠିଥିଲା ଯେପରି ଗୋଟିଏ ମାଆର ସନ୍ତାନ ପରି।
କିନ୍ତୁ ହଠାତ୍ ଦିନେ ହୃଦଘାତରେ ପୁରିଆ ବାବୁଙ୍କ ଶେଷ ନିଃଶ୍ୱାସ ବନ୍ଦ୍ ହୋଇଗଲା।ଖନା ସାର୍ ଙ୍କ ଆଖି ରୁ ଦିଟୋପା ଲୁହ ଗଡିଗଲା। ସେଦିନ ଠାରୁ ଖନା ସାର୍ ଆଉ ହାଟଛକ ର ବାମପଟକୁ ଚାହାନ୍ତି ନି,ମୁକସାକ୍ଷୀ ରହିଛି କେବଳ ଶିବ ପାନ ଦୋକାନ ଆଉ ଖନା ସାର୍ ଙ୍କ ସାଙ୍ଗସାଥୀ ଆଉ ସେଇ ଗୋଧୂଳି ଲଗ୍ନ।ଆପଣମାନଙ୍କ ସନ୍ଦେହ ମୋଚନ ପାଇଁ ସୂଚନା ଦେଉଛି କି ଖନା ସାର୍ ଆଉ କେହି ନୁହନ୍ତି,ସେ ହେଉଛନ୍ତି ଆମ ସମସ୍ତଙ୍କର ଅତି ଆପଣାର ତଥା ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇ ମହୋଦୟ।
ପ୍ରକାଶନୀ ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।