logo

ବିଜେପୁରରେ ଧାନ ସଂଗ୍ରହ ଅବ୍ୟବସ୍ଥା ବିରୋଧରେ ବିଜେଡିର ଦାବୀପତ୍ର

ବିଜେପୁରରେ ଧାନ ସଂଗ୍ରହ ଅବ୍ୟବସ୍ଥା ବିରୋଧରେ ବିଜେଡିର ଦାବୀପତ୍ର

ବିଜେପୁର: ଚଳିତ ଖରିଫ୍ ବିପଣନ ଋତୁ ୨୦୨୫–୨୬ରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଗଭୀର ଅବ୍ୟବସ୍ଥା ଓ ଚାଷୀ ବିରୋଧୀ ନୀତିର ପ୍ରତିବାଦରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଦାବୀପତ୍ର ତହସିଲଦାର, ବରପାଲିଙ୍କ ଜରିଆରେ ଦାଖଲ କରାଯାଇଛି।
ଦାବୀପତ୍ରରେ ଅଭିଯୋଗ କରାଯାଇଛି ଯେ, ଟୋକନ୍ ବଣ୍ଟନରେ ଅବ୍ୟବସ୍ଥା ଓ ବିଳମ୍ବ ଯୋଗୁଁ ହଜାର ହଜାର ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। ଧାନକ୍ରୟ କେନ୍ଦ୍ରମାନଙ୍କରେ ବହୁ ପରିମାଣର ଧାନ ପଡ଼ିରହିଥିବା ସତ୍ତ୍ୱେ ମିଲର୍‌ମାନଙ୍କ ଉଦାସୀନତା ଓ ପ୍ରଶାସନିକ ଅପରାଗତାରୁ ଧାନ ଉଠାଯାଉନାହିଁ।
ଧାନର ଗୁଣବତ୍ତା ଓ ଆର୍ଦ୍ରତା ଆଳରେ ପ୍ରତି ବସ୍ତାରେ ୨ରୁ ୭ କେଜି ପର୍ଯ୍ୟନ୍ତ ଅନ୍ୟାୟ କଟନୀ–ଛଟନୀ କରାଯାଉଥିବା ଅଭିଯୋଗ ମଧ୍ୟ ଉଠାଯାଇଛି। ଏହାସହିତ ଟୋକନ୍ ନ ମିଳିବାରୁ ଚାଷୀମାନେ ବାଧ୍ୟ ହୋଇ ଖୋଲା ବଜାରରେ ପ୍ରତି କ୍ୱିଣ୍ଟାଲ ୧୪୦୦ରୁ ୧୫୦୦ ଟଙ୍କାରେ ଧାନ ବିକ୍ରି କରୁଥିବା ଦାବୀ କରାଯାଇଛି।
ଦାବୀପତ୍ରରେ ଆହୁରି କୁହାଯାଇଛି ଯେ, ବିକ୍ରି ହୋଇଥିବା ଧାନର ମୂଲ୍ୟ ୨୪ ଘଣ୍ଟା ମଧ୍ୟରେ ଜମା ହେବାର ପ୍ରତିଶ୍ରୁତି ସତ୍ତ୍ୱେ ୧୫ ଦିନ ପର୍ଯ୍ୟନ୍ତ ଟଙ୍କା ମିଳୁନାହିଁ। କେନ୍ଦ୍ର ସରକାରଙ୍କ ଘୋଷିତ MSP ୨୩୬୯ ଟଙ୍କା ଓ ରାଜ୍ୟ ସରକାରଙ୍କ ୮୦୦ ଟଙ୍କା ସହାୟତା ମିଶାଇ ମୋଟ ୩୧୬୯ ଟଙ୍କା ଚାଷୀଙ୍କୁ ଦିଆଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ବିଜେଡି ପକ୍ଷରୁ ଦାବୀ କରାଯାଇଛି ଯେ, ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ଶୀଘ୍ର ଟୋକନ୍ ପ୍ରଦାନ, ଧାନକ୍ରୟ କେନ୍ଦ୍ରର ଦୈନିକ ଲକ୍ଷ୍ୟ ଦୁଇଗୁଣ, କଟନୀ–ଛଟନୀ ବନ୍ଦ ଓ ପ୍ରତି କ୍ୱିଣ୍ଟାଲ ୩୧୬୯ ଟଙ୍କା ତୁରନ୍ତ ପ୍ରଦାନ କରାଯାଉ।
ଚାଷୀ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜୁ ଜନତା ଦଳ ସତର୍କ କରିଛି।

3
758 views