
କେନ୍ଦୁଝର ବାଇପାସ ରୋଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।
କେନ୍ଦୁଝର ବାଇପାସ ରୋଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।
କେନ୍ଦୁଝର,୧୫ା୧: କେନ୍ଦୁଝର ଜିିଲ୍ଲାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏଥିରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ପର୍ଯ୍ୟଟନ,କ୍ରୀଡା,ସଡକ ଓ ସେତୁ ନିର୍ମାଣ କ୍ଷେତ୍ରରେ ପ୍ରକଳ୍ପ ରହିଛି । ଏଥିମଧ୍ୟରୁ ୩ ଟି ସଡକ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି । କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହାର ପରିକଳ୍ପନା କରାଯାଇଛି । ସେଥିମଧ୍ୟରୁ କେନ୍ଦୁଝର ୪୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ବାଇପାସ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ଜମି ଅଧିଗ୍ରହଣ ବାବଦ ବ୍ୟୟ ହେବ । ସହର ମଧ୍ୟରୁ ଯାତାୟତ ଭିଡ କମାଇବା ପାଇଁ କେନ୍ଦୁଝରରେ ବିଶ୍ୱସ୍ତରୀୟ ବାଇପାସ ରାସ୍ତା ନିର୍ମାଣ ହେବ । ସହର ବାହାରେ ପରିଧିରେ ଏକ ରିଙ୍ଗ ରୋଡ ଭାବେ କାର୍ଯ୍ୟ କରିବ ଯାହାକି ସହର ସୀମାକୁ ବିସ୍ତାର କରିବ । ଜାତୀୟ ରାଜପଥ ୨୦ ଏବଂ ଜାତୀୟ ରାଜପଥ ୪୯ ମଧ୍ୟରେ ସର୍ବାଧିକ ସଂକ୍ଷିପ୍ତ ଓ ସୁଦୃଢ ସଂଯୋଗ ପ୍ରଦାନ କରିବ ।୨୦ନଂ ଜାତୀୟ ରାଜପଥ ନେଙ୍କଡାଘର ଠାରୁ ଡିମ୍ବୋ-ନେଲୁଙ୍ଗ ଦେଇ ୯ କିଲୋମିଟର ୪୦୯ ମିଟର ଲମ୍ବର ଏହି ବାଇପାସ ରାସ୍ତା ଝାରବେଲଦାଠାରେ ଜାତୀୟ ରାଜପଥ ୪୯ ସହିତ ସଂଯୋଗ ହେବ । ୩ ଟି ପଂଚାୟତ ଦେଇ ଜାତୀୟ ରାଜପଥ ୨୦ ରୁ ୪୯ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିବ । ନୂତନ ବାଇପାସ ନିର୍ମାଣ ହେଲେ ଟ୍ରାଫିକ୍ ସମସ୍ୟା ଅନେକ ପରିମାଣରେ ହ୍ରାସ ପାଇବା ସହିତ ଅଳ୍ପ ସମୟ ମଧ୍ୟରେ ଲୋକ ନିଜର ଗନ୍ତବ୍ୟ ପଥରେ ପହଞ୍ଚି ପାରିବେ । ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ କେନ୍ଦୁଝର ସହରର ଚାରିପାଖେ ୪ ଲେନ ରାସ୍ତା ଏବଂ ଉଭୟ ପାଶ୍ୱର୍ରେ ସର୍ଭିସ ରୋଡ ନିର୍ମାଣ କରାଯିବ । ଆଗାମୀ ଦିନରେ କେନ୍ଦୁଝର ରାଜ୍ୟର ଏକ ପ୍ରମୁଖ ଅର୍ଥନୈତିକ ହବ୍ ହେବାକୁ ଯାଉଛି । ପାଟଣାରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ସଡକ ସଂଯୋଗକୁ ଅଧିକ ସୁଦୃଢ କରିବ । ଉଭୟ ପାଶ୍ୱର୍ରେ ସର୍ଭିସ ରୋଡ ସହିତ ଆକ୍ସେସ କଣ୍ଟ୍ରୋଲ ୪ ଲେନ ରାସ୍ତା ନିର୍ମାଣ ହେବ । ହାତୀଙ୍କ ଯାତାୟତ ପାଇଁ ଓ ଗଛ କାଟିବାର ଆବଶ୍ୟକତା ହ୍ରାସ କରିବା ପାଇଁ ୧୧୦୦ ମିଟର ଲମ୍ବା ଏଲିଫ୍ୟାଣ୍ଟ ଅଣ୍ଡରପାସ ନିର୍ମାଣ କରାଯିବ । ରାସ୍ତା ପାଶ୍ୱର୍ରେ ଯାତ୍ରୀ ଆଶ୍ରୟସ୍ଥଳ ସହିତ ୪ ଟି ବସ ବେ ଓ ୨ ଟି ଟ୍ରକ ଲେ-ବେ ନିର୍ମାଣ କରାଯିବ । କେନ୍ଦୁଝରର ସମୃଦ୍ଧ ଐତିହ କୁ ପ୍ରତିଫଳିତ କରୁଥିବା ଆଇକନିକ୍ ସଂରଚନା ସହିତ ସେଗମେଣ୍ଟାଲ ବ୍ରିଜ ନିର୍ମାଣ ହେବ । ବାଇପାସ ରାସ୍ତା ନିର୍ମାଣ ହେଲେ କେନ୍ଦୁଝର ସହର ପାଇଁ ଏହା ରିଂ ରୋଡ୍ ଭଳି କାମ ଦେବ । ଟେଣ୍ଡର ପ୍ରକ୍ରୀୟା ଶେଷ ହେବା ପରେ ଏହି କାମ ପାଇଁ ଚୁକ୍ତି ହେବାର ୨୪ ମାସ ମଧ୍ୟରେ କାମ ସମାପ୍ତ ହେବ ଓ ରାସ୍ତା କାମ ପାଇଥିବା ସଂସ୍ଥା ରାସ୍ତାର ରକ୍ଷାବେକ୍ଷଣ କାର୍ଯ୍ୟ ୫ ବର୍ଷ ପର୍ଯ୍ୟନ୍ତ କରିବ ବୋଲି ଜଣାପଡିଛି । ସେହିପରି ୨୪ କୋଟି ଟଙ୍କା ବ୍ୟୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜେଲ ରୋଡ-ଧୃର୍ପଦା ୨.୪ କିଲୋମିଟର ରାସ୍ତା ୪-ଲେନ ହେବ ଏବଂ ଏହି ରାସ୍ତା ମେଡିକାଲ କରିଡର ଭାବେ କାର୍ଯ୍ୟ କରିବ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ଧରଣୀଧର ମେଡିକାଲ କଲେଜ କୁ ଏହି ରାସ୍ତା ଦେଇ ବିନା ବାଧାରେ ଆମ୍ବୁଲାନ୍ସ ଗାଡି ଯାତାୟତ କରିପାରିବ । ସେହିପରି କେନ୍ଦୁଝରଗଡ ରେଳ ଷ୍ଟେସନର ବିସ୍ତାର ଓ ବିକାଶକୁ ଧ୍ୟାନରେ ରଖି ପୁରୁଣା ଜାତୀୟ ରାଜପଥ-୬ ଠାରୁ କେନ୍ଦୁଝରଗଡ ରେଳ ଷ୍ଟେସନ ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତା ପାଇଁ ୨୨ କୋଟି ଟଙ୍କା ବ୍ୟୟରେ ଏକ ସ୍ୱତନ୍ତ୍ର ୪ ଲେନ ଆପ୍ରୋଚ ରୋଡ ନିର୍ମାଣ ହେବ । ଫଳରେ ରେଳ ଷ୍ଟେସନକୁ ଯାତ୍ରୀମାନେ କମ ସମୟରେ ଯାତାୟତ କରିପାରିବେ ।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।