logo

ପିତୃମାତୃହୀନ ନାବାଳିକା ପାଇଲେ ତ୍ୱରିତ ନ୍ୟାୟ।


ପିତୃମାତୃହୀନ ନାବାଳିକା ପାଇଲେ ତ୍ୱରିତ ନ୍ୟାୟ।

ଯୌନ ଅପରାଧରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦେଶରେ “ଯୌନ ଅପରାଧରୁ ଶିଶୁ ମାନଙ୍କୁ ସୁରକ୍ଷା ଆଇନ, ୨୦୧୨ ( POCSO, Act) କାର୍ଯ୍ୟକାରୀ ହେଇଆସୁଅଛି ଯାହା ଏକ ସ୍ୱତନ୍ତ୍ର ଆଇନ। ଏହି ଆଇନରେ ଅପରାଧ ନିମନ୍ତେ ଯାହା ବି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ଥାଉନା କାହିଁକି, ମାମଲା ରୁଜୁ ପରେ ଉପଯୁକ୍ତ ପରିଚାଳନା ନକଲେ ଚୁଡାନ୍ତ ରାୟ ଆସିବାରେ ବିଳମ୍ବ ହୁଏ କିମ୍ବା ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଖସି ଯାଏ । ସମ୍ପ୍ରତି ଶିଶୁ ମାନଙ୍କ ଉପରେ ଯୌନାଚାର ବୃଦ୍ଧି ପାଇବାର ଏହା ବି ଏକ ବଳିଷ୍ଠ କାରଣ।

ଅପରାଧ ନଗଣ୍ୟ/ ଗୁରୁତର/ ଜଘନ୍ୟ ହେଉ, ଅପରାଧି ବିରୋଧରେ ଲଢିବା କଦାପି ଏକଚାଟିଆ କାର୍ଯ୍ୟ ନୁହେଁ, ଏଥିପାଇଁ ସାମୁହିକ ଉଦ୍ୟମ ଲୋଡା। ଆଇନକୁ କାର୍ଯ୍ୟକାରୀ କରୁଥିବା ଏବଂ ଶିଶୁ ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ ପାଇଁ ଉତ୍ତ୍ରଦାୟିତ୍ୱ ଥିବା ବିଭିନ୍ନ ସଂସ୍ଥା ଓ ଅଧିକାରୀ ମାନଙ୍କ ସମେତ ସ୍ୱେଚ୍ଛାସେବୀମାନେ ନିଷ୍ଠାପର ଭାବେ ନିଜ ନିଜର ଦାୟିତ୍ୱ ନିର୍ବାହ କଲେ ଅପରାଧି ଦଣ୍ଡ ପାଇବା ସହିତ ଅପରାଧ ହ୍ରାସ ପାଇବ ଏଥିରେ ଦ୍ୱିମତ ନାହିଁ। ନିକଟରେ କେନ୍ଦୁଝର ଜିଲ୍ଲାରେ ଏକ ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବା ଭଳି ଏକ ସ୍ପର୍ଷକାତର ମାମଲାରେ ମାତ୍ର ୧୧ ମାସ ମଧ୍ୟରେ ରାୟ ପ୍ରକାଶ ପାଇଛି ଯାହାକୁ ଏକ ଉଦାହରଣ ଭାବେ ନିଆଯାଇପାରେ।

ଜଣେ ପିତୃମାତୃହୀନ ନାବାଳିକାର ଅସହାୟତାର ସୁଯୋଗ ନେଇ ଯୌନ କାରବାରରେ ଲିପ୍ତ କରାଯାଇଥିବା ସ୍ଥାନରୁ ଉଦ୍ଧାର ଠାରୁ ଆରମ୍ଭ କରି, ଥଇଥାନ, ମାମାଲା ରୁଜୁ, ସାକ୍ଷ୍ୟ ପ୍ରମାଣ ସଂଗ୍ରହ ଏବଂ ଉପଯୁକ୍ତ ପରିଚାଳନା ଯୋଗୁ ପୀଡିତାଙ୍କୁ କିପରି ତ୍ୱରିତ ନ୍ୟାୟ ମିଳିବା ସମ୍ଭବ ହେଲା, ସେ ସମ୍ବନ୍ଧରେ ସଚେତନତା ସୃଷ୍ଟି କରି ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ଅପରାଧ ହ୍ରାସ କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ। ଆଇନରେ ଥିବା ପ୍ରାବଧାନକୁ ଦୃଷ୍ଟିରେ ରଖି ଉକ୍ତ ବିଷୟବସ୍ତୁରେ ପୀଡିତାଙ୍କ ପରିଚୟ ଓ ଠିକଣା ଉହ୍ୟ ରଖି ଘଟଣା କ୍ରମ ଓ ଶିଶୁକୁ ନ୍ୟାୟ ପ୍ରଦାନ ନିମନ୍ତେ ବିଭିନ୍ନ ସ୍ତରରେ ନିଆଯାଇଥିବା ପଦକ୍ଷେପ ଗୁଡିକ ପର୍ଯ୍ୟାୟ କ୍ରମେ ବର୍ଣ୍ଣନା କରାଯାଇଛି।

୧- ଖଣ୍ଡଗିରି ନିକଟସ୍ଥ ଏକ ସ୍ଥାନରେ ଡଲି ସାହୁ ନାମକ ଜଣେ ମହିଳା ଓ ତା ପୁଅ ରାହୁଲ ମିସି ବିଭିନ୍ନ ସ୍ଥାନରୁ ଯୁବତୀ ଓ କିଶୋରୀ ବାଳିକା ମାନଙ୍କୁ ପ୍ରଲୋଭିତ କରିଆଣି ଯୌନ କାରବାରରେ ଲିପ୍ତ କରାଇ ଆସୁଥିଲେ। ୨୦୨୪ ଡିସେମ୍ବର ମାସ ୩୦ ତାରିଖରେ ସେମାଙ୍କୁ ମଧ୍ୟରୁ ଜଣେ ଯୁବତୀ କୌଶଳ କ୍ରମେ ଖସି ଆସି ଖଣ୍ଡଗିରି ଥାନାରେ ସୁଚନା ଦେବା ପରେ ପୋଲିସ ଦ୍ୱାରା ଉକ୍ତ ନାବାଳିକ ଉଦ୍ଧାର ଓ ଥଇଥାନ ନିମନ୍ତେ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ନିକଟରେ ହାଜିର।

୨- ନାବାଳିକା ଜଣକ କେନ୍ଦୁଝର ଜିଲ୍ଲାର ବାସିନ୍ଦା ହୋଇଥିବାରୁ ତା: ୧୮-୦୧-୨୦୨୫ ରିଖରେ ଖୋର୍ଦ୍ଧାରୁ କେନ୍ଦୁଝର ଶିଶୁ ମଙ୍ଗଳ ସମିତିକୁ ସ୍ଥାନାନ୍ତର ଓ ସମିତିର ସଦସ୍ୟା ସୋନାଲି ସିଂଙ୍କର ଦ୍ୱାରା ଶିଶୁକୁ କାଉନସେଲିଂ ।

୩- ଶିଶୁ ପ୍ରତି ହୋଇଥିବା ଅପରାଧ ସମ୍ବନ୍ଧରେ କେନ୍ଦୁଝର ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ. ବିଭୁତି ଭୂଷଣ ଦାଶ ଏବଂ ଶ୍ରୀମତି ସିଂଙ୍କ ଦ୍ୱାରା ଏ ଏସ୍‌ ପି ଙ୍କୁ ସୂଚନା ଏବଂ ସ୍ଥାନୀୟ ଥାନାର ଭାରପ୍ରାପ୍ତ ଥାନାଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ନିର୍ଦ୍ଦେଶ ଓ ପ୍ରକଳ୍ପ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଓପନ ସେଲ୍ଟରରେ ଥଇଥାନ।

୪- ଓପନ ସେଲ୍ଟରର ସଂଯୋଜକ ତଥା ପରାମର୍ଶଦାତା ସରୋଜ ପଟ୍ଟନାୟକଙ୍କ ଦ୍ୱାରା ନାବାଳିକାଙ୍କୁ ମନୋସ୍ତାତ୍ୱିକ ପରାମର୍ଶ ସେବା ପ୍ରଦାନ ଏବଂ ବିସ୍ତୃତ ତଥ୍ୟ ସଂଗ୍ରହ।

୫- ସଂଯୋଜକଙ୍କ ନିର୍ଦ୍ଦେଶକ୍ରମେ ସେବା ପ୍ରଦାନ କାରିଣୀ ମମତା ବେହେରାଙ୍କ ଦ୍ୱାରା ଟାଉନ ଥାନାରେ ରାତି ୧୧:୩୦ ରେ FIR ରୁଜୁ। (ବି:ଦ୍ର୍: FIR ରେ ଗୁରୁତ୍ୱପୁର୍ଣ୍ଣ ବିଷୟ ଯଥା ଅପରାଧର ପ୍ରକାର, ଅପରାଧ ଘଟିଥିବା ସ୍ଥାନ, ସମୟ ଏବଂ ଆପରାଧ ଘଟାଇଥିବା ଓ ସାମିଲ ଥିବା ଅଭିଯୁକ୍ତ ମାନଙ୍କ ସମସ୍ତ ତଥ୍ୟ ସ୍ଥାନିତ ହେବା ଆବଶ୍ୟକ)

୬- ରାତ୍ର ୧୨:୦୦ ସମୟରେ FIR ରେ ଥିବା ତଥ୍ୟକୁ ଭିତ୍ତି କରି ପୀଡିତା ଓ ଓପନ ସେଲ୍ଟରର କର୍ମକର୍ତ୍ତାଙ୍କ ସହାୟତାରେ ପୋଲିସ୍ ଦ୍ୱାରା କ୍ରାଇମ ସିନ୍‌ ପରିଦର୍ଶନ ଏବଂ ଉଭୟ ଅଭିଯୁକ୍ତ ରଞ୍ଜିତ ସାହୁ ଏବଂ ଶୁଶୀଳା ପାତ୍ର ଆରେଷ୍ଟ। (ବି:ଦ୍ର:- ତୁରନ୍ତ କ୍ରାଇମ ସିନ୍‌ ପରିଦର୍ଶନ ଯୋଗୁ ସେହି ସ୍ଥାନରୁ ଅନ୍ୟ ଜଣେ ଯୁବତୀ ଉଦ୍ଧାର ହୋଇଥିଲେ ଏବଂ ଅନେକ ଆପତ୍ତିଜନକ ଜିନିଷ ବରାମତ ହୋଇଥିଲା ଯାହା ବିଚାର ସମୟରେ ପ୍ରମାଣ ଭାବେ ଉପସ୍ଥାପିତ ହେଲା। ଏଥି ସହିତ ଉଦ୍ଧାର ହୋଇଥିବା ଯୁବତୀ ମଧ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ ଅଦାଲତରେ ସାକ୍ଷ୍ୟ ଦେଲେ। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହୋଇଥିଲେ ଅଭିଯୁକ୍ତ ମାନଙ୍କୁ ପ୍ରମାଣ ନଷ୍ଟ କରିବାରେ ସମୟ ମିଳିଥାନ୍ତା ଯାହା ଏ କ୍ଷେତ୍ରରେ ହୋଇନଥିଲା)

୭- ପୀଡିତାଙ୍କ ଡାକ୍ତରୀ ଯାଞ୍ଚ ପରେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଉଭୟ ପୀଡିତା ଓ ଏତଲାକାରୀ ମମତା ବେହେରାଙ୍କ ବୟାନ ରେକର୍ଡ ଏବଂ ବୟାନ ଆଧାରରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଫରୱାର୍ଡ। (ବି:ଦ୍ର: ଡାକ୍ତରୀ ଯାଞ୍ଚ ସମୟରେ ପୀଡିତା ସହ ଜଣେ ଦକ୍ଷ ସହାୟକ ବ୍ୟକ୍ତି ରହିବା ଆବଶ୍ୟକ ନଚେତ ଜାଣି ଶୁଣି ପ୍ରମାଣ ନଷ୍ଟ ହେବାର ଆଶଙ୍କା ଥାଏ)

୮- FIR ରୁଜୁ ହେବାର ନିର୍ଦ୍ଧାରିତ ୬୦ ଦିନ ମଧ୍ୟରେ ପୋଲିସ ଦ୍ୱାରା ସାକ୍ଷ୍ୟ ପ୍ରମାଣ ସଂଗ୍ରହ ସମେତ ଅଦାଲତରେ ଚାର୍ଜସିଟ ଦାଖଲ । ( ବି:ଦ୍ର: ଚାର୍ଜସିଟ ଦାଖଲରେ ବିଳମ୍ବ ହେଲେ ବିଚାର ପ୍ରକ୍ରିୟା ବିଳମ୍ବ ହୁଏ ଏବଂ ଅଭିଯୁକ୍ତଙ୍କ ଜାମିନ ମିଳିବାର ସମ୍ଭାବନା ଥାଏ)

୯- ଅଦାଲତରେ ଅଭିଯୁକ୍ତ ମାନଙ୍କ ଦ୍ୱାରା ଜାମିନ ଆବେଦନ ଏବଂ ଉଭୟ ପୀଡିତା ଏବଂ ସେଲ୍ଟର ହୋମର ସେବା ପ୍ରଦାନ କରିଣୀ ମମତାଙ୍କ ଟେଷ୍ଟିମୋନି ଆଧାରରେ ଜାମିନ ଆବେଦନ ଅଗ୍ରାହ୍ୟ। (ବି:ଦ୍ର: ଅଭିଯୁକ୍ତ ମାନଙ୍କୁ କାହିଁକି ଜାମିନ ନଦିଆଯିବ ତାହା ଏତଲାକାରୀଙ୍କୁ ଅଦାଲତରେ ଯୁକ୍ତିଯୁକ୍ତ କାରଣ ଦର୍ଶାଇବାକୁ ପଡେ ନଚେତ ଅଭିଯୁକ୍ତଙ୍କୁ ଜମିନ ମିଳିଯାଏ)

୧୦- ଜାମିନ ପାଇଁ ଉଚ୍ଚ ନ୍ୟାୟଳୟରେ ଅଭିଯୁକ୍ତ ମାନଙ୍କ ଦ୍ୱାରା ଆବେଦନ ଏବଂ ପୁନଶ୍ଚ ଜାମିନ ଖାରଜ।

୧୧- ପୀଡିତାଙ୍କୁ କୌଶଳ କରି ନିଜ ସମ୍ପର୍କୀୟ ମାନଙ୍କ ପାଖକୁ ନେବା ପାଇଁ ଅଭିଯୁକ୍ତ ମାନଙ୍କ ତରଫରୁ ନିରନ୍ତର ଉଦ୍ୟମ ସତ୍ୱେ ଓପନ ସେଲ୍ଟର ଏବଂ ଶିଶୁ ମଙ୍ଗଳ ସମିତିଙ୍କ ହସ୍ତକ୍ଷେପ ଯୋଗୁ ଉଦ୍ୟମ ବିଫଳ। (ବି:ଦ୍ର:- ଅନେକ କ୍ଷେତ୍ରରେ ମାମଲା ବିଚାର ପୂର୍ବରୁ ଅଭିଯୁକ୍ତ ମାନଙ୍କ ଦ୍ୱାରା ପୀଡିତା ଏବଂ ତା’ର ପରିବାର/ ସମ୍ପର୍କୀୟଙ୍କୁ ପ୍ରଲୋଭିତ କରି ବିଚାର ସମୟରେ ବୟାନ ବଦଳାଇ ଦେବାର ନଜିର ଥାଏ ଯାହା ଫଳରେ ମାମଲା ଦୂର୍ବଳ ହୋଇଯାଏ।

୧୨- କେନ୍ଦୁଝର ପୋକ୍ସୋ କୋର୍ଟରେ ବିଚାର ପ୍ରକ୍ରିୟା ଆରମ୍ଭ ଏବଂ ପୀଡୀତା, ଏତଲାକରୀଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ମାନଙ୍କ ସାକ୍ଷ୍ୟ ପ୍ରଦାନ। ( ବି: ଦ୍ର: କୋର୍ଟ ରେ ଟେଷ୍ଟିମନି ପୂର୍ବରୁ ପୀଡିତାଙ୍କୁ କଣ କହିବେ କିପରି କହିବେ, ପ୍ରତିପକ୍ଷ ଓକିଲଙ୍କ ସାମ୍ଭାବ୍ୟ ପ୍ରଶ୍ନର ଉତ୍ତର କିପରି ଦେବେ ତହା ଦକ୍ଷ ସହାୟକଙ୍କ ଦ୍ୱାରା ବୁଝାଇବାକୁ ପଡେ ନଚେତ ହୁଏତ ପୀଡିତାଙ୍କ ପୂର୍ବ ବୟାନ ଓ ଏତଲାରେ ଦର୍ଶାଯାଇଥିବା ତଥ୍ୟ ସହ ତାଳମେଳ ନରହିଲେ ରାୟ ଅଭିଯୁକ୍ତ ସପକ୍ଷରେ ଯିବାର ସମ୍ଭାବନା ଥାଏ।)

୧୩- ତା: ୨୬-୧୨-୨୦୨୫ ରିଖରେ ଅଦାଲତର ରାୟ ପ୍ରକାଶ ଏବଂ ଅଭିଯୁକ୍ତ ମାନଙ୍କୁ ୭ ବର୍ଷ ଜେଲ ଦଣ୍ଡ ସହ ଯୋରିମାନା । ମୁଖ୍ୟ ଆସାମୀ ଡଲି ଏବଂ ତା ପୁଅ ର ମାମଲା କୋର୍ଦ୍ଧା ପୋକ୍ସୋ କୋର୍ଟରେ ବିଚାରାଧିନ।

ଉପସଂହାର- ଉପରୋକ୍ତ ପଦକ୍ଷେପ ବ୍ୟତୀତ ଆହୁରି ଅନେକ କିଛି ଯଥା ପୀଡିତାର ସହାୟତା ରାଶି ନିମନ୍ତେ ଆବେଦନ, ଆଇନ କାର୍ଯ୍ୟକାରୀ ସଂସ୍ଥା ସହ ନିରନ୍ତର ଯୋଗାଯୋଗ, ପ୍ରାପ୍ତବୟସ୍କ ପରେ ସାବଲମ୍ବୀ ନିମନ୍ତେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ଇତ୍ୟାଦି ଅନୁଷ୍ଠାନ ଦ୍ୱାରା ନିଆଯାଇଛି ଯାହା ଫଳରେ ଭବିଷ୍ୟତରେ ପୀଡିତା ଏକ ମର୍ଯ୍ୟଦାଶୀଳ ଜୀବନ ଜିଇଁପାରିବ। ଏହା ଏକ ମାତ୍ର ମାମଲା ନୁହେଁ ଏହା ପୂର୍ବରୁ ଅନେକ ମାମଲାରେ ପୀଡିତା ନ୍ୟାୟ ପଇଛନ୍ତି ଏବଂ ଆଉ କିଛି ବିଚାରାଧିନ ରହିଛି।

ମତାମତ: ଶିଶୁ ମାନଙ୍କ ଉପରେ ଯୌନ ଅପରାଧ ହେବାର ଜାଣିବା ପରେ ସାମାଜିକ ଗଣ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କଲେ କିମ୍ବା ଆନ୍ଦୋଳନ କଲେ ଅବଶ୍ୟ ପ୍ରଶାସନ ଉପରେ ଚାପ ପଡେ ବିଭାଗ ଗତିଶୀଳ ହୁଏ କିନ୍ତୁ ଏହା କୌଣସି ପୀଡିତାଙ୍କୁ ନ୍ୟାୟ ଦେବାରେ ଯଥେଷ୍ଟ ହୋଇନଥାଏ। ଏଥିପାଇଁ ଆଇନକୁ କାର୍ଯ୍ୟକାରୀ କରିବାପାଇଁ ଉତ୍ତରଦାୟିତ୍ୱ ଥିବ ସମସ୍ତ ଅଧିକାରୀ ବିଶେଷ କରି ନ୍ୟାୟପାଳିକା, ପୋଲିସ, ଫୋରେନ୍ସିକ, ସ୍ୱାସ୍ଥ୍ୟ କର୍ମଚାରୀ, ଶିଶୁ କଲ୍ୟାଣ ବିଭାଗ, ସ୍ୱଚ୍ଛାସେବୀ ଅନୁଷ୍ଠାନ ସମେତ ପୀଡିତାର ପରିବାର ତଥା ସମ୍ପର୍କୀୟ ମାନଙ୍କ ନିସ୍ୱାର୍ଥପର ଭାବେ ଉଦ୍ୟମ କଲେ ଅପରାଧିକୁ ଉଚିତ ଦଣ୍ଡ ମିଳିବା ସହିତ ଅପରାଧ ହ୍ରାସ ଘଟିବ।

ପୁରୁଷୋତ୍ତମ ପାତ୍ର ଙ୍କ ରିପୋର୍ଟ, ମୋବାଇଲ: ୮୪୫୬୦୫୨୮୭୬

24
968 views