କେନ୍ଦୁଝର ସହରସ୍ଥିତ ଡି.ଏନ୍. ହାଇସ୍କୁଲ ର କରୁଣ କାହାଣୀ!
କେନ୍ଦୁଝର ସହରସ୍ଥିତ ଡି.ଏନ୍. ହାଇସ୍କୁଲ ର କରୁଣ କାହାଣୀ!
ମୋର ପ୍ରିୟ କେନ୍ଦୁଝର ଜିଲ୍ଲାବାସୀଙ୍କୁ ବିନମ୍ର ଅନୁରୋଧ ଏଠାରେ ଯେଉଁ ସୂଚନା ପ୍ରକାଶ କରାଯାଇଛି, ତାହା ଥରୁଟିଏ ନିଶ୍ଚିତ ଭାବରେ ଦେଖନ୍ତୁ। ନିମ୍ନରେ ଉଲ୍ଲେଖିତ ବିଷୟକୁ ମଧ୍ଯ ଥରୁଟିଏ ନିଶ୍ଚିତ ଭାବରେ ପଢିବା ପାଇଁ ଅନୁରୋଧ ରହିଲା। ତାପରେ ଯଦି ଠିକ୍ ମନେକରନ୍ତି, ତେବେ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ସେୟାର କରନ୍ତୁ। ଯଦି ଅନୁଚିତ ବୋଲି ବିବେଚିତ କରୁଛନ୍ତି, ତେବେ ଅବିଳମ୍ବେ ଏହି ସନ୍ଦେଶ ସହିତ ସୂଚନା ଡିଲିଟ କରିଦେବାକୁ ଅନୁରୋଧ କରୁଅଛି।
ଏହି ସନ୍ଦେଶ କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ଗୋଟିଏ ଅଗ୍ରଗଣ୍ଯ ବିଦ୍ୟାଳୟ ସମ୍ପର୍କରେ ଜନସଚେତନତା ସ୍ରୁଷ୍ଟି କରିବା ପାଇଁ ପ୍ରକାଶ କରାଯାଇଛି। କେନ୍ଦୁଝର ଜିଲ୍ଲାର ସଦରମହକୁମା ସ୍ଥିତ ମୁଖ୍ୟାଳୟରେ ଅବସ୍ଥିତ ଧନୁର୍ଜ୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ (D.N. HIGH SCHOOL) ସମ୍ପର୍କରେ ଜାଣିବା ନିତାନ୍ତ ଆବଶ୍ଯକ ରହିଛି। କେନ୍ଦୁଝର ଜିଲ୍ଲାର ଏକ ସର୍ବପୁରାତନ ଜ୍ଞାନାଲୋକରେ ଉଦ୍ଭାସିତ ତଥା ଶିକ୍ଷା ପ୍ରଦାନ କରୁଥିବା ଉଚ୍ଚ ବିଦ୍ୟାଳୟ ମଧ୍ଯରେ ଅଗ୍ରଗଣ୍ଯ। ଯେତେବେଳେ ଭାରତ ପରାଧୀନ ଥିଲା, ବ୍ରିଟିଶ ସାଶନ କାଳରୁ ୧୯୩୪ ମସିହାରେ ଡିଏନ୍ ହାଇସ୍କୁଲ ସ୍ଥାପନ ହୋଇଥିଲା। ସେତେବେଳେ କେନ୍ଦୁଝର ଜିଲ୍ଲାରେ ବ୍ରିଟିଶ୍ ଶାସନ ସହିତ ରାଜତନ୍ତ୍ର ଶାସନ ମଧ୍ଯ ରହିଥିଲା। ସେସମୟରେ ଜଣେ ବ୍ରିଟିଶ ସାଶନ କର୍ତ୍ତା ନାମରେ ଉକ୍ତ ଉଚ୍ଚ ବିଦ୍ୟାଳୟ ର ନାମକରଣ କରାଯାଇଥିଲା। ଦେଶ ୧୯୪୭ ମସିହାରେ ବ୍ରିଟିଶ ଶାସନକର୍ତ୍ତା ଠାରୁ ମୁକ୍ତ ହେବା ପରେ ପରେ ସ୍ବାଧୀନ ଲୋକତନ୍ତ୍ର ଶାସନ ବ୍ୟବସ୍ଥା ଓ କେନ୍ଦୁଝର ଜିଲ୍ଲାର ତତକାଳୀନ ରାଜା ପୁନର୍ବାର ଉକ୍ତ ବିଦ୍ୟାଳୟ ନାମ ପରିବର୍ତ୍ତନ କରି ଡି.ଏନ୍. ହାଇସ୍କୁଲ ନାମକୁ ରୂପାନ୍ତରିତ କରାଯାଇଥିଲା। ଅଦ୍ୟାବଧି ଉକ୍ତ ବିଦ୍ୟାଳୟର ନାମ ଧନୁର୍ଜ୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ ବୋଲି ସମସ୍ତଙ୍କୁ ଭଲଭାବରେ ଜଣାଅଛି।
ପରାଧୀନ ଭାରତ ଶାସନ ସମୟରୁ ଅଦ୍ୟାବଧି ଉକ୍ତ ବିଦ୍ୟାଳୟ (୨୦୨୫-୧୯୩୪=୯୧) ବର୍ଷରେ ପଦାର୍ପଣ କରିଛି। ଏହି ୯୧ ବର୍ଷ ସମୟ ମଧ୍ଯରେ ଉକ୍ତ ବିଦ୍ୟାଳୟ ରୁ ସହସ୍ରାଧିକ ଛାତ୍ର ନିଜ ନିଜର ଭବିଷ୍ଯତ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି। ୧୯୮୦ ଦଶକ ପ୍ରାରମ୍ଭ ପର୍ଯ୍ୟନ୍ତ ଡି.ଏନ୍. ହାଇସ୍କୁଲ ରେ ଷଷ୍ଠ ରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ରହିଥିଲା। ତା ପରବର୍ତ୍ତୀ ସମୟରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା। ଅଦ୍ୟାବଧି ସେହି ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ଚାଲୁ ରହିଛି। ପୂର୍ବରୁ କେବଳ ସେହି ବିଦ୍ୟାଳୟ ରେ ବାଳକ ଅର୍ଥାତ୍ ଛାତ୍ର ମାନେହିଁ ଅଧ୍ୟୟନ କରୁଥିବା ଜାଣିବା ପାଇଁ ମିଳୁଅଛି। କିନ୍ତୁ ୧୯୯୦ ଦଶକ ମଧ୍ୟଭାଗରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଡି.ଏନ. ହାଇସ୍କୁଲ ରେ ବାଳିକା ତଥା ଛାତ୍ରୀମାନଙ୍କୁ ମଧ୍ଯ ଶିକ୍ଷା ପ୍ରଦାନ କରିବାକୁ ଆରମ୍ଭ ହେଲା। ଅଦ୍ୟାବଧି ଉକ୍ତ ବିଦ୍ୟାଳୟ ରେ ଉଭୟ ଛାତ୍ରଛାତ୍ରୀ ବିଦ୍ୟାଧ୍ୟୟନ କରୁଥିବା ଦେଖିବାକୁ ମିଳୁଅଛି।
ବିଗତ ସରକାର ସମୟରେ ଡି.ଏନ୍. ହାଇସ୍କୁଲ ର ନବୀକରଣ, ଛାତ୍ରଛାତ୍ରୀ ଙ୍କ ରହଣୀ ପାଇଁ ନିବାସ ଓ ଖେଳପଡ଼ିଆ ଓ ବଗିଚାର ଉନ୍ନତି କରଣ କରିବା ପାଇଁ ରାଜ୍ଯ ସରକାର ତରଫରୁ ଅର୍ଥ ମଞ୍ଜୁର କରାଯାଇଥିଲା। ଏପରିକି କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ଖଣିଜ ପାଣ୍ଠିର ଅର୍ଥ ମଧ୍ଯ ପ୍ରଦାନ କରାଯାଇଛି।
ସ୍କୁଲର ନବକଳେବର କରାଗଲା, ଛାତ୍ରଛାତ୍ରୀ ମାନଙ୍କର ରହିବା ପାଇଁ ନୂତନ ହଷ୍ଟେଲ ବିଲଡିଂ ସ୍ବତନ୍ତ୍ର ଭାବରେ କରାଯାଇଛି। କିନ୍ତୁ ପରିତାପର ବିଷୟ ଦିର୍ଘ ୯୧ ବର୍ଷ ଅତିକ୍ରମ କରିବାକୁ ଯାଉଛି। ହେଲେ ସ୍କୁଲ ପରିସରରେ ଥିବା ଦୁଇଟି ନିଜସ୍ବ ଖେଳ ପଡ଼ିଆ ର ଉନ୍ନତି କରଣ କରାଯାଇପାରିନାହିଁ। ଏପରିକି ସ୍କୁଲ ପରିସରରୁ ଉପଯୁକ୍ତ ଭାବରେ ଦୁଷିତ ଜଳକୁ ଏବଂ ବର୍ଷାଜଳକୁ ନିଷ୍କାସନର ସୁବନ୍ଦୋବସ୍ତ କରାଯାଇପାରିନାହିଁ। ବିଦ୍ୟାଳୟ ର ସମ୍ମୁଖ ଭାଗରେ ସୌନ୍ଦର୍ଯ୍ୟକରଣ ନିମନ୍ତେ ଯେଉଁ ସୁନ୍ଦର ବଗିଚା କରାଯାଇଥିଲା। ତାହାର ରକ୍ଷଣାବେକ୍ଷଣ କରିବା ପାଇଁ ପ୍ରାୟତଃ ଏକବର୍ଷ ହେବ ଜିଲ୍ଲା ପ୍ରଶାସନ ତରଫରୁ ଅର୍ଥ ସହାୟତା ବନ୍ଦ କରାଇଥିବା ସୂତ୍ରରୁ ଜାଣିବା ପାଇଁ ମିଳୁଅଛି। ଡି.ଏନ୍. ହାଇସ୍କୁଲର ନିଜସ୍ବ ଅର୍ଥ ଆୟ କରିବା ପାଇଁ କୌଣସି ପ୍ରକାରର ମାଧ୍ଯମ ନାହିଁ। ଏହା ସରକାରଙ୍କ ଦ୍ବାରା ପରିଚାଳିତ ସ୍କୁଲ, ତେଣୁ ସରକାରଙ୍କ ଅନୁଦାନ ଦ୍ବାରା ପରିଚାଳିତ ହେଉଛି। ଯଦି ସ୍କୁଲ ପରିସରରେ ଥିବା ଖେଳ ପଡ଼ିଆ ର ବିକାଶ ପାଇଁ ତଥା ସୌନ୍ଦର୍ଯ୍ୟକରଣ ନିମନ୍ତେ ବଗିଚାର ରକ୍ଷଣାବେକ୍ଷଣ କରିବା ସରକାରଙ୍କ ଅନୁଦାନ ଓ ଜିଲ୍ଲା ପ୍ରଶାସନ ତରଫରୁ ଅର୍ଥ ସହାୟତା ବନ୍ଦ କରାଯିବ! ତେବେ ଏଠାରେ ବର୍ତ୍ତମାନ ସ୍ବତଃ ପ୍ରଶ୍ନ ଉଠିଛି ଯେ, ସେହିସବୁ ରହିଥିବା ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ କରିବା ଦାୟିତ୍ୱ କାହାର ? ସରକାରଙ୍କ ର, ନା ଜିଲ୍ଲା ପ୍ରଶାସନ ର, ନା ସ୍କୁଲ କତ୍ତୃପକ୍ଷଙ୍କର, ନା କେନ୍ଦୁଝର ଜିଲ୍ଲାବାସୀ ଙ୍କର, ନା ସେହି ସ୍କୁଲ ରେ ବିଦ୍ୟାଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀ ଅଥବା ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କର ?
ଏହି ସର୍ବପୂରାତନ ବିଦ୍ୟାଳୟ ରୁ ସହସ୍ରାଧିକ ଛାତ୍ରଛାତ୍ରୀ ବିଦ୍ୟାଧ୍ୟୟନ କରି ସୁନାମ ଅର୍ଜନ କରିଛନ୍ତି। ଅନେକ ପୁରାତନ ଛାତ୍ରଛାତ୍ରୀ ସମାଜରେ ତଥା ଦେଶବିଦେଶରେ ମୁଖ୍ୟଧାରାରେ ସାମିଲ୍ ହୋଇ ନିଜ ନିଜର ଦକ୍ଷତା ପ୍ରକାଶ କରିଛନ୍ତି। ଅନେକ ନେତା ମନ୍ତ୍ରୀ ତଥା ସମାଜସେବୀ ହେଲେ। ଅନେକ ମେଧାବୀ ଛାତ୍ରଛାତ୍ରୀ ବୈଜ୍ଞାନିକ, ପ୍ରଫେସର, ଲେକ୍ଚ଼ର, ନ୍ୟାୟାଲୟ ର ବିଚାରପତି, ଶିକ୍ଷକ, ଦାକ୍ତର, ଇଂଜିନିୟର, ଓକିଲ, ଆଇଏଏସ୍, ଆଇପିଏସ, ପୋଲିସ, ସୈନିକ, ଓଏଏସ୍, ଏହା ବ୍ୟତୀତ ବିଭିନ୍ନ ପ୍ରକାରର ସରକାରୀ ଓ ବେସରକାରୀ ସଂସ୍ଥାରେ ନିୟୋଜିତ ହେଇଛନ୍ତି। ଏଠାରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ସାହିତ୍ୟକାର, କଳାକାର, ସଂଗିତକାର, କବି, ଲେଖକ, ପ୍ରତିଭାଧାରୀ ଖେଳାଳୀ ମଧ୍ଯ ଉତ୍ପତ୍ତି ହୋଇଥିଲେ। ଏହି ଡି.ଏନ୍. ହାଇସ୍କୁଲ ନିଜର ଗୌରବ କେବଳ ଜିଲ୍ଲାରେ ନୁହେଁ, ରାଜ୍ୟରେ ସ୍ବତନ୍ତ୍ର ପରିଚୟକୁ ପ୍ରତିପାଦିତ କରିଥିବା ସତ୍ତ୍ବେ ବର୍ତ୍ତମାନ ମଧ୍ଯ ବିକାଶ ପାଇଁ ଅବହେଳିତ ହୋଇରହିଛି! ଯେତେବେଳେ ଯେଉଁ ମାନବ ସଭ୍ୟତାରେ ମାଆ, ମାଟି, ଭାଷା, ଶିକ୍ଷା, ସଂସ୍କୃତି ପ୍ରତି ଅଣଦେଖା ଅର୍ଥାତ୍ ଅବହେଳିତ କରାଯାଇଛି। ସେତେବେଳେ ସେହି ସଭ୍ୟତା ବିଲୁପ୍ତ ଅଭିମୁଖେ ଯାତ୍ରା ଆରମ୍ଭ କରି ଶେଷରେ ଇତିହାସ ପାଲଟିଛି। ଏହାର ଅନେକ ଉଦାହରଣ ରହିଛି। ଯେଉଁ ବିଦ୍ୟାଳୟ ଅଗଣିତ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଓ ସଂସ୍କାର ପ୍ରଦାନରେ ଆଦୌ ଅବହେଳା କରିନାହିଁ। ସେହି ଡି.ଏନ୍. ହାଇସ୍କୁଲ କୁ ଆଜିର ସମୟରେ ଅବହେଳିତ କରାଯାଇଛି। ସ୍କୁଲ ରହିଛି, ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି; ଅଧ୍ୟାପନା କରିବା ପାଇଁ ଛାତ୍ରଛାତ୍ରୀ ରହିଛନ୍ତି। କିନ୍ତୁ ପିଲାମାନଙ୍କର ଖେଳିବା ପାଇଁ ଉପଯୁକ୍ତ ଖେଳପଡିଆ ଦୁଇଟି ପ୍ରସ୍ତୁତ କରାଗଲା ନାହିଁ।
ଲୋକତନ୍ତ୍ର ବ୍ୟବସ୍ଥା ରେ ବିଭିନ୍ନ ଦଳର ନେତୃବର୍ଗ ମାନଙ୍କୁ ଶାସନ କରିବା ପାଇଁ କ୍ଷମତାର ସୁଯୋଗ ଆସିବ ଏବଂ ଯିବ। ପ୍ରଶାସନ ପଦାଧିକାରୀ ଆସିବେ ସମୟ ବ୍ୟବଧାନରେ ଅନ୍ୟତ୍ର ବଦଳି ହୋଇ ଚାଲିଯିବେ। ଛାତ୍ରଛାତ୍ରୀ ବିଦ୍ୟାଧ୍ୟୟନ କରିବା ପାଇଁ ଆସିବେ ଶିକ୍ଷା ସମାପ୍ତ କରିବା ପରେ ଉଚ୍ଚ ଶିକ୍ଷା କରିବା ପାଇଁ ଅନ୍ୟତ୍ର ଯିବେ। ତେବେ ଏଠାରେ ପ୍ରଶ୍ନ ଉଠୁଅଛି ଯେ, ଡି.ଏନ୍. ହାଇସ୍କୁଲ ଟି ଯିବ କୁଆଡେ ? କେନ୍ଦୁଝର ଜିଲ୍ଲାବାସୀ ଯିବେ କୁଆଡେ ? ମୁଁ, କୌଣସି ରାଜନୈତିକ ଦଳର ନେତା ମନ୍ତ୍ରୀ କିମ୍ବା କୌଣସି ପ୍ରଶାସନିକ ପଦାଧିକାରୀ ମାନଙ୍କୁ ନିନ୍ଦା, ଅପମାନିତ, ଅଥବା କଟାକ୍ଷ କରିବା ପାଇଁ ଚେଷ୍ଟା କରୁନାହିଁ। ମୋର ଉଦ୍ଦେଶ୍ଯ ହେଉଛି, ଏହି ସ୍କୁଲରୁ ଅନେକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଧ୍ୟୟନ କରି ଯାଇଛନ୍ତି। କିନ୍ତୁ, ଏହି ବିଦ୍ୟାଳୟ ସମ୍ପର୍କରେ କଣ କିଛି ଜାଣିବା ପାଇଁ କେବେ ଟିକିଏ ଚେଷ୍ଟା କରିଛନ୍ତି ? ସନ୍ତାନଗଣ ମାଆଙ୍କୁ ସମ୍ମାନ ଓ ସେବା କରିବାରେ ବିଳମ୍ବିତ କିମ୍ବା ଅବହେଳିତ କରିପାରନ୍ତି। କିନ୍ତୁ ମାଆ କଦାପି ସନ୍ତାନମାନଙ୍କୁ ଅବହେଳିତ କରେନାହିଁ। ସେଇଥିପାଇଁ ତୋ ମାଆଙ୍କୁ ଭଗବାନଙ୍କ ଠାରୁ ମଧ୍ଯ ଉଚ୍ଚ ସ୍ଥାନ ଦିଆଯାଇଛି। ବିଦ୍ୟାଳୟ ମଧ୍ଯ କୌଣସି ମନ୍ଦିର ଠାରୁ କମ୍ ନୁହେଁ। ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ କୌଣସି ଦେବଦେବୀଙ୍କ ଠାରୁ ମଧ୍ଯ କମ୍ ନୁହଁନ୍ତି। ସେହି ମନ୍ଦିର ରୂପି ବିଦ୍ୟାପୀଠ ବିଦ୍ୟାଦାୟିନୀ ଜନନୀ ଅଟେ। ସନ୍ତାନଗଣର ଅର୍ଥାତ୍ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ ସଂସ୍କାର ପ୍ରଦାନରେ ଆଦୌ ଅବହେଳା କରିନାହିଁ। ତଥାପି ଡି.ଏନ୍. ହାଇସ୍କୁଲ ଅଦ୍ୟାବଧି ଅବହେଳିତ ହୋଇ ରହିଯାଇଛି! ଏପରି ଅବହେଳିତ ହେବାର କାରଣ କଣ, ଏଥିପାଇଁ କିଏ ଉତ୍ତର ଦାୟୀ ?
ମୋ ଦ୍ବାରା ଭିଡିଓ ବାର୍ତ୍ତାରେ ସ୍କୁଲ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରକାଶ କରିବା ପରେ ଅନେକ ଦୁଃଖ ପ୍ରକାଶ କରିବା ସହିତ ନିଜ ନିଜର ସୁ ମତାମତ ପ୍ରଦାନ କରିଛନ୍ତି। ଅତୀତରେ ଏହି ଡିଏନ୍ ହାଇସ୍କୁଲ ରେ ଅଧ୍ୟୟନ କରିଥିବା ଅନେକ ସର୍ବପୁରାତନ ବୟଜୈଷ୍ଠ ଛାତ୍ର, ମୋର ସହପାଠୀ ଛାତ୍ର ବନ୍ଧୁ ଓ ଅନେକ ବୁଦ୍ଧିଜୀବୀଙ୍କ ଠାରୁ ମୋ ନିକଟକୁ ମତାମତ ପ୍ରଦାନ କଲେ। ଅଦ୍ୟାବଧି ଉକ୍ତ ବିଦ୍ୟାଳୟ ସ୍ଥାପନ ହେବାର ୯୧ ବର୍ଷ ପୂରିବାକୁ ବସିଲାଣି, କିନ୍ତୁ ସ୍କୁଲ ର ଅତ୍ୟାବଶ୍ୟକୀୟ ଖେଳ ପଡ଼ିଆ ର ଉନ୍ନତିକରଣକୁ କେହି ଗୁରୁତ୍ବପୂର୍ଣ୍ଣ ମନେକଲେ ନାହିଁ। ତେବେ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଏବଂ ଆଗାମୀ ଦିନରେ ଅଧ୍ୟୟନ କରିବା ପାଇଁ ଆସିବାକୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଯେପରି ଉନ୍ନତ ଧରଣର ଖେଳ ପଡ଼ିଆ ପ୍ରସ୍ତୁତ କରାଯାଇ ପାରିବ ସେ ସମ୍ପର୍କରେ ସମସ୍ତଙ୍କୁ ଚିନ୍ତା କରିବା ନିତାନ୍ତ ଆବଶ୍ଯକ ରହିଛି। ଇତିମଧ୍ୟରେ ସ୍କୁଲ ର ୯୧ବର୍ଷ ଅତିକ୍ରମ କରିବାକୁ ଯାଉଛି। ଆଉ କେଇଟା ବର୍ଷ ଅତିକ୍ରମ କରିବା ପରେ ଡି.ଏନ୍. ହାଇସ୍କୁଲ ର ଶତବାର୍ଷିକୀ ଉତ୍ସବ ପାଳନ କରିବାକୁ ପ୍ରାୟତଃ ସାମୁହିକ ଭାବରେ ସମସ୍ତେ ତତ୍ପର ହେବେ। ଯଦି ବର୍ତ୍ତମାନ ସମୟରୁ ବିଦ୍ୟାଳୟ ପରିସରରେ ଥିବା ଖେଳ ପଡ଼ିଆ ର ଉନ୍ନତିକରଣକୁ କେହି ଗୁରୁତ୍ବପୂର୍ଣ୍ଣ ମନେକରିବେ ନାହିଁ। ତେବେ ଶତବାର୍ଷିକୀ ଉତ୍ସବ ପାଳନ କରିବା ପରେ ମଧ୍ଯ ହୁଏତ ଖେଳ ପଡ଼ିଆ ସେହିପରି ଦୁରାବସ୍ଥା ରେ ରହିଯିବ। ଏହା ବ୍ୟତୀତ ସ୍କୁଲ ପରିସରରୁ ଦୁଷିତ ଜଳ ଓ ବର୍ଷା ଜଳକୁ ନିଷ୍କାସନର ସୁବନ୍ଦୋବସ୍ତ କରାଯିବା ନିତାନ୍ତ ଆବଶ୍ଯକ ରହିଛି। ମୋର ବ୍ୟକ୍ତିଗତ ଅନୁଭବରୁ ଏତିକି କହିବା ଉଚିତ୍ ହେବ ଯେ ଖେଳ ପଡ଼ିଆ ଦୁଇଟିକୁ ଉନ୍ନତିକରଣ ଏବଂ ଡ୍ରେନେଜ ବ୍ୟବସ୍ଥା ସଠିକ୍ କରିବା ପାଇଁ ବ୍ୟପକ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏଥିପାଇଁ ଦରକାର କେବଳ ନିଷ୍ଠା, ଉଦଯୋଗ, ଦ୍ରୁଢ ମନବଳ, ସହାୟତା ଓ ତ୍ୟାଗ ମନବ୍ରୁତ୍ତି। ଯଦି ଏତିକି ସାମୁହିକ ଭାବରେ ସମସ୍ତଙ୍କ ଠାରୁ ସହଯୋଗ ମିଳିବ, ତେବେ ହାଇସ୍କୁଲ ର ମର୍ଯ୍ୟାଦା, ଗୌରବ ଓ ସମ୍ମାନ ସବୁଦିନ ପାଇଁ ଅକ୍ଷୁର୍ଣ୍ଣ ରଖିବା ସହଜସାଧ୍ୟ ହୋଇପାରିବ। ମୁଁ, ଜଣେ ଉକ୍ତ ବିଦ୍ୟାଳୟ ର ପୁରାତନ ଛାତ୍ର, ସେହି ବିଦ୍ୟାଳୟ ସନ୍ନିକଟରେ ନିବାସ କରୁଥିବା କେନ୍ଦୁଝର ଜିଲ୍ଲାର ଅଧିବାସୀ ଭାବରେ ମୋର ଅନୁଭବରୁ ଏତିକି ସତ୍ଯତା ସର୍ବ ସମ୍ମୁଖରେ ଉପସ୍ଥାପନା କଲି। କଣ କରାଯିବା ଉଚିତ୍ ଓ ଅନୁଚିତ ? ଏହାର ନିଷ୍ପତ୍ତି ଆପଣମାନଙ୍କ ବିବେକ ଓ ବିଚାର ଉପରେ ନିର୍ଭର କରୁଅଛି।
।।ଇତି।।
ଉପସ୍ଥାପନା:- ଜଣେ ପୁରାତନ ଛାତ୍ର ୧୯୮୯ ବ୍ୟାଚ୍: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର (ମୋବାଇଲ- ୮୪୫୬୦୫୨୮୭୬)