logo

କେନ୍ଦୁଝରକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ ପାଇଁ ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ଆହ୍ୱାନ।

କେନ୍ଦୁଝରକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ ପାଇଁ ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ଆହ୍ୱାନ।

କିସ ହଷ୍ଟେଲରେ ହତ୍ୟାର ଶିକାର ହୋଇଥିବା ଛାତ୍ର ଘରକୁ ଗଲେ।

କେନ୍ଦୁଝର, ତା୨୨/୧୨- ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଓ ସଦସ୍ୟା ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଦରବାର ହଲଠାରେ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆୟୋଗ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଜିଲ୍ଲାରେ ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ବାସ୍ତବ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନିତିନ କୁଶଳକର ଓ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ। ଆୟୋଗର ପ୍ରତିନିଧି ଦଳ ଜିଲ୍ଲାସ୍ତରରେ ଶିଶୁ ସୁରକ୍ଷା, ପୋଷଣ ଏବଂ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ଚାଲିଥିବା କାର୍ଯ୍ୟକ୍ରମ ଗୁଡ଼ିକର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବା ସହ ଏହାର ସୁପରିଚାଳନା ପାଇଁ ତୃଣମୂଳ ସ୍ତରରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ଼, ସ୍ୱତନ୍ତ୍ର ପୋଲିସ ୟୁନିଟ୍, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ ହେଲ୍ପ ଲାଇନ୍‌ର କର୍ମଚାରୀ ମାନେ ଯୋଗ ଦେଇଥିଲେ। ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜରୁରୀ ସେବା ଏବଂ କାର୍ଯ୍ୟକ୍ରମ ଉପରେ ଏଠାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆୟୋଗର ସଦସ୍ୟା ଶ୍ରୀମତୀ ଖୁଣ୍ଟିଆ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଅଧିକ ବାଲ୍ୟ ବିବାହ ଘଟଣା ସାମନାକୁ ଆସୁଥିବାରୁ ଏନେଇ ସେମାନଙ୍କୁ ବ୍ୟାପକ ସଚେତନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଆରକ୍ଷୀ ଅଧିକ୍ଷକ ମହିଳାଙ୍କ ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଥିବା ରାକ୍ଷୀ ଆପ ସମ୍ବନ୍ଧରେ ସୂଚନା ଦେଇଥିଲେ। ନିଜ ଗସ୍ତ ଅବସରରେ ଆୟୋଗ କେନ୍ଦୁଝର ଅଞ୍ଚଳରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟଧାରାକୁ ପ୍ରତ୍ୟକ୍ଷ ଭାବରେ ଅନୁଧ୍ୟାନ କରିଥିଲେ। ଏହି କ୍ରମରେ ଢିପା ସାହି ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଗସ୍ତ କରି ସେଠାକାର ଆମ କଳିକା କେନ୍ଦ୍ରରେ ବାଲ୍ୟ ସଭାରେ ଯୋଗ ଦେଇଥିଲେ। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସଖୀ ସେଣ୍ଟର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶିଶୁ ୱାର୍ଡ ଓ ପାଟେଶ୍ଵର ମହାବିଦ୍ୟାଳୟ ଗସ୍ତ କରି ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିବ ସହ ଏହି ସବୁ ଅନୁଷ୍ଠାନର କାର୍ଯ୍ୟକାରିତା, ସେବା ପ୍ରଦାନର ମାନ ଓ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ଏଥିସହିତ ଭୁବନେଶ୍ୱରର ଏକ ଘରୋଇ ଅନୁଷ୍ଠାନରେ ମୃତ୍ୟୁବରଣ କରିଥିବା କେନ୍ଦୁଝର ଅଞ୍ଚଳର ଛାତ୍ର ଶିବ ମୁଣ୍ଡାଙ୍କ ଘରକୁ ଗସ୍ତ କରି ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

26
1346 views