ବେଲବାହାଳିର କୁଶେଇ ପୋଲ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।
ବେଲବାହାଳିର କୁଶେଇ ପୋଲ।
ନୀଳମଣି ଚାନ୍ଦ
କେନ୍ଦୁଝର ଇତିହାସ ପଢୁ ପଢୁ
ରହିଗଲି ଟିକେ ମୁହିଁ
ବେଲବାହାଳିର କୁଶେଇ ପୋଲର
କଥା ଗଲା ମୋତେ ଛୁଇଁ।
କେନ୍ଦୁଝର ଭଞ୍ଜ ନୃପ ବଳଭଦ୍ର
ନାରାୟଣ ଅମଳରେ
ଏ ପୋଲ ନିର୍ମିତ ହୋଇଥିଲା ଲୋକେ
କହନ୍ତି କଥା ଛଳରେ ।
ସେ ରାଜବଂଶର ଛୟାଳିଶ ତମ
ନୃପତି ଥିଲେ ଯେ ସିନା
କେତେ ଯେ ସଡ଼କ ପୋଲର ନିର୍ମାତା
ଭାବେ ହୋଇଥିଲେ ଚିହ୍ନା।
ଚୂନ ଓ ଇଟାର ବ୍ୟବହାର କରି
କରିଥିଲେ ନିରିମାଣ
ଥିଲା ଗୋତି ପ୍ରଥା ପାଖ ଲୋକମାନେ
କରିଥିଲେ ଶ୍ରମଦାନ ।
ଜେଜେ କହୁଥିଲେ ଏହି ପୋଲଟିକୁ
ଦି ପଇସା ପୋଲ ବୋଲି
କାଗଜଟି କିଣି ନୋଟ୍ ଛାପି ରାଜା
କରି ଯାଇଛନ୍ତି ଚାଲି ।
ଯୋଗାଯୋଗ ପରା ହୋଇଲା ସହଜ
ପୋଲ ନିରିମାଣ ପରେ
ବହୁଦିନ ଯାଏ ସୁରକ୍ଷିତ ଥିଲା
କହୁଥିଲେ ବାପା ଥରେ ।
ମହାବାତ୍ୟା ବେଳେ କୁଶେଇର ବଢ଼ି
ଦେଲାରେ ବିପଦ ଆଣି
ନୂଆ ପୋଲଟିଏ ହୋଇଛି ନିର୍ମିତ
ଏକଥାଟି ଅଛୁ ଜାଣି ।
ଭଞ୍ଜ ନୃପ ସେହି କୀର୍ତ୍ତି କଥା ଆମେ
ମନୁ ଭୁଲିଯିବା ନାହିଁ
ଅତୀତର ମୁକସାକ୍ଷୀ ହୋଇସିଏ
ରହୁ ସବୁଦିନ ପାଇଁ ।
ପୁରୁଣିଆଁ, ଶାଳପଡ଼ା , ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭