
ଆକାଶବାଣୀ - ଡ. ଶୁଭେନ୍ଦୁ ମେହେର ଙ୍କ ରଚିତ କବିତା।
ଆକାଶବାଣୀ
**********
ସେ' ପ୍ରତ୍ୟହ ନିଦରୁ ଉଠାଏ
ବନ୍ଦେ ମାତରମ ଧ୍ୱନିରେ,
ହୃଦୟ କିଣେ,
ବିବିଧତା ମଧ୍ୟରେ ଏକତା ଆଣେ ଅଭିମନ୍ତ୍ରିତ କରେ
ଦେଶପ୍ରେମର ମଧୁର ମୂର୍ଚ୍ଛନାରେ ।
ବାଣୀକଣ୍ଠ ହୁଅନ୍ତୁ କି' ଭିକାରୀ ବଳ,
ଅରବିନ୍ଦ ମୁଦୁଲି ହୁଅନ୍ତୁ କି'
ପ୍ରଫୁଲ୍ଲ କରଙ୍କ ମଧୁର ସ୍ୱର
ମନ୍ତ୍ରମୁଗ୍ଧ କରେ ମୋ' ହୃଦୟ ଦେଉଳ ।
ସେ'
ଦେଶ ବିଦେଶର ଖବର କୁହେ
ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ
ନିଆରା କଣ୍ଠରେ,
ଅନୁଚିନ୍ତା କୁହେ
ଶଙ୍କର୍ଷଣ ମଙ୍ଗରାଜଙ୍କ
ଥରିଲା ଓଠରେ।
କେବଳ ମୋତେ ନୁହେଁ.....
ସଭିଙ୍କୁ ସେ' ଆଦର କରେ,
ବହୁଜନ ହୀତାୟ
ବହୁଜନ ସୁଖାୟର ସମ୍ୟବାଦ ସ୍ଵରେ ।
ପାର ଅପା ହେଉ କି' ସନା ଭାଇ,
ଚାଷୀଭାଇର ଦିନସାରା
ଅକ୍ଲାନ୍ତ ପରିଶ୍ରମକୁ
ସହଜେ ଦିଅନ୍ତି ଦୂରେଇ ।
ଚିତ୍ତ ମୋହେ ଚିତ୍ତ ଜେନା
ମଧୁର ବଂଶୀସ୍ଵନରେ
କୁହୁକ ଭରେ ହରପ୍ରସାଦ ଚୌରାସିଆ
ଭଜନ ଗାଏ ଶ୍ୟାମସୁନ୍ଦର କର,
ଓଡିଶୀ ସଂଗୀତରେ
ଅକ୍ଷୟ ଆଉ ସିକନ୍ଦର ।
ତା' ପାଇଁ....
ରଙ୍ଗବତୀର ବାସ ଦିଗ୍ବିଦିଗ ଛୁଟିଲା
ଜିତେନ୍ଦ୍ର ଜଗତ ଜିତିଲା ।
ଐତିହ୍ୟ, ସଂସ୍କୃତି, ପରମ୍ପରା ହେଉ
କି' ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଧାରା
ସବୁଠୁ ତା' ଉପସ୍ଥାପନା
ସ୍ୱତନ୍ତ୍ର ନିଆରା ।
ଘରବଇଦ ଠୁ ଡାକ୍ତରୀ ଚିକିତ୍ସା
ସବୁଠି ତାହାର ନାଁ,
ଆଇ ମା'ର କାହାଣୀ ପରି
କିଛି ଅବୁଝା ରହେନା ।
ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ
ସଭିଙ୍କୁ ମୋହେ ସ୍ୱତନ୍ତ୍ର ଭଙ୍ଗୀରେ,
ଆକାଶ ଛାତିରୁ ଶବ୍ଦ ଦିଅନ୍ତି ଦେବତା
ତେଣୁ ସେ ,
ଶୁଦ୍ଧ ସଙ୍ଗୀତରେ,
ପବିତ୍ର ଭାବନାରେ ।
ଭାଇଚାରାର ଭାବ ଭିତରେ ଛନ୍ଦା ସେ,
ସତ୍ୟ, ଧର୍ମ, ନ୍ୟାୟ ପଥରେ
ନୀରବି ଯାଇ ନଥିବା
କର୍ମଠ ବାଟୋଇ,
ତାକୁ ଛାତିରେ ନ ଧରିଲେ
ନିଦ ଜମା ହୁଏନାହିଁ
ବିଛଣାରେ ପାରେନା ମୁଁ ଶୋଇ ।।
ଡ. ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ମୋବାଇଲ: 99384 33664