logo

ମେ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଏକା ସଙ୍ଗେ ପ୍ରକାଶ ପାଇବ ସବୁ ବିଭାଗ ର ରେଜଲ୍ଟ

ଭୁବନେଶ୍ୱର,୦୩/୦୫: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ । ଏପ୍ରିଲ୍ ୨୨ରେ ଖାତା ଦେଖା ଶେଷ ହୋଇଥିବା ବେଳେ ପରିଷଦ ପକ୍ଷରୁ ମୂଲ୍ୟାୟନ ମାର୍କକୁ ୱେବ୍ସାଇଟ୍ରେ ପ୍ରକାଶ ପ୍ରକ୍ରିୟା ପାଇଁ ଏକ ଆଇଟି ଫାର୍ମକୁ ଦାୟିତ୍ୱ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇପାରେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ସମୁଦାୟ ୨୭ ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ୍ ୨ରେ ସରିବାକୁ ଥିବା ବେଳେ ଏହା ୪ ଦିନ ବିଳମ୍ବରେ ସରିଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ୍ ୨୦ରେ ଶେଷ ହେବାକୁ ଲକ୍ଷ୍ୟ ଥିବାବେଳେ ଏପ୍ରିଲ ୨୨ରେ ସରିଥିଲା । ସିଏଚ୍ଏସ୍ଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ବିଳମ୍ବ ହୋଇଛି । ରେଜଲ୍ଟ ପ୍ରକାଶ ପାଇଁ ବିଭିନ୍ନ ପ୍ରକ୍ରିୟା ରହିଛି । ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇପାରେ । ତଥାପି ମେ ତୃତୀୟ ସପ୍ତାହ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛୁ । ଚଳିତବର୍ଷ ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ।

0
1013 views