logo

SARBE BHABANTU SUKHI NAH

ସର୍ବେଭବନ୍ତୁ ସୁଖିନଃ :-
ଧର୍ମ କହିଲେ ସାଧାରଣତଃ ବୁଝାଯାଏ ଯେ କୌଣସି ଏକ ବା ଅଧିକ ପରଲୌକିକ ଶକ୍ତିରେ ବିଶ୍ୱାସ ଏବଂ ତତ୍ ସମ୍ବନ୍ଧିତ ରୀତି, ପରମ୍ପରା, ପୂଜା-ପଦ୍ଧତି ଏବଂ ଦର୍ଶନ ସମୂହ । ଆଜିର ଦୁନିଆରେ ଧର୍ମ ଯେଉଁ ରୂପେ ପ୍ରଚାରିତ ଏବଂ ବାଖ୍ୟାୟିତ କରାଯାଉଛି ସେଥିରୁ ବଞ୍ଚିବା ନିହାତି ଦରକାର । ବାସ୍ତବରେ ଧର୍ମ କେବେ ସଂପ୍ରଦାୟ ନୁହେଁ । ଜୀବନରେ ଆମେ ଯାହାକୁ ଧାରଣ କରିବା ଉଚିତ୍ ତାହାହିଁ ଧର୍ମ । ନୈତିକ ମୂଲ୍ୟର ଆଚରଣହିଁ ଧର୍ମ । ଧର୍ମ ମାନବୀୟ ଗୁଣର ବିକାଶର ପ୍ରଭାବନା, ସାର୍ବଭୌମଚେତନାର ସତ୍ ସଂକଳ୍ପ । ଧର୍ମ ସେହି ପବିତ୍ର ଅନୁଷ୍ଠାନ ଯଦ୍ୱାରା ମାନବୀୟ ଚେତନାର ଶୁଦ୍ଧିକରଣ ହୁଏ । ଧର୍ମ ତାହାହିଁ ଯାହାର ଅଚରଣରେ ମଣିଷ ନିଜର ଜୀବନକୁ ସଫଳ ବା ଚରିତାର୍ଥ କରିପାରେ ।

ମଧ୍ୟଯୁଗରେ ବିକଶିତ ଧର୍ମ ଏବଂ ଦର୍ଶନର ପରମ୍ପରାଗତ ସ୍ୱରୂପ ଏବଂ ଧାରଣାସବୁର ପ୍ରତି ଆଜି ବ୍ୟକ୍ତିର ଆସ୍ଥା କମ୍ ହେବାରେ ଲାଗିଛି । ମଧ୍ୟଯୁଗରେ ଧର୍ମର ପ୍ରମୁଖ ଥିଲା- ସ୍ୱର୍ଗର କଳ୍ପନା, ସୃଷ୍ଟି ଏବଂ ଜୀବର କର୍ତ୍ତାରୂପେ ଈଶ୍ୱରଙ୍କ କଳ୍ପନା, ବର୍ତ୍ତମାନ ଜୀବନର ନିରର୍ଥକତାର ବୋଧ, ନିଜ ଦେଶ ଏବଂ କାଳର ମାୟା ପ୍ରପଞ୍ଚଦ୍ୱାରା ପରିପୂର୍ଣ୍ଣ ଅବଧାରଣା । ସେହି ଯୁଗରେ ବ୍ୟକ୍ତିର ଧ୍ୟାନ ନିଜର ଶ୍ରେଷ୍ଠ ଆଚରଣ, ଶ୍ରମ ଏବଂ ପୁରୁଷାର୍ଥ ଦ୍ୱାରା ନିଜର ବର୍ତ୍ତମାନଜୀବନର ସମାସ୍ୟାସବୁର ସମାଧାନ କରିବାଦିଗରେ କମ୍ ଥିଲା ବରଂ ନିଜର ଆରାଧ୍ୟର ସ୍ତୁତି ତଥା ଜୟଗାନ କରିବାରେ ଅଧିକ ଥିଲା । ଧର୍ମର ବାଖ୍ୟାକାରମାନେ ସଂସାରର ସମସ୍ତ କ୍ରିୟାକଳାପକୁ ଈଶ୍ୱରଙ୍କ ଇଚ୍ଛାବୋଲି ମାନୁଥିଲେ ତଥା ମନୁଷ୍ୟକୁ ଈଶ୍ୱରଙ୍କ ହାତର ଏକ କାଠପିତୁଳୀରୂପେ ସ୍ୱୀକାର କରି ଉପଦେଶ ଦେଉଥିଲେ । ସେ ଯୁଗର ଦାର୍ଶନିକ ମାନେ ବ୍ୟକ୍ତିର ବର୍ତ୍ତମାନ ଜୀବନର ବିପନ୍ନତାର ହେତୁ କର୍ମ-ସିଦ୍ଧାନ୍ତର ସୂତ୍ରରେ ପ୍ରତିପାଦିତ କରିଥିଲେ । ଏହାର ପରିଣାମ ସ୍ୱରୂପ ମଧ୍ୟଯୁଗରେ ମନୁଷ୍ୟର ବର୍ତ୍ତମାନ ଜୀବନର ସମସ୍ତ ଅସୁବିଧା-ସମାସ୍ୟାର ମୂଳରେ ନିଜର ଭାଗ୍ୟ ବା ଅଦୃଷ୍ଟ ଅଥବା ଭଗବାନଙ୍କର୍ ଇଛାବୋଲି ସ୍ୱୀକାର କଲେ । ଧର୍ମର ଯାଜକ ମାନେ ପୁରୁଷାର୍ଥବାଦୀ-ମାର୍ଗର ମୁଖ୍ୟ-ଦ୍ୱାରରେ ତାଲା ପକାଇଦେଲେ । ସମାଜ ଅଥବା ଦେଶର ବିପନ୍ନତାକୁ ତାହାର ନିୟତି ମାନି ନେଇ ହାତବାନ୍ଧି ସମାସ୍ୟା ସମାଧାନରେ ନିଶ୍ଚେଷ୍ଟ ହୋଇ ବିଦେଶାଗତ ଶାସନ ଓ ଧର୍ମକୁ ସହ୍ୟକଲେ ଏବଂ ଶାସ୍ତ୍ରନିର୍ଦ୍ଦେଶିତ ଧର୍ମାଚରଣକୁ ନିଜର ଇଚ୍ଛାନୁରୂପ ଢଙ୍ଗରେ ବାଖ୍ୟାକରୁଥିବାଙ୍କ ପ୍ରତି ନିରବ ରହିଲେ । ତଥାକଥିତ ଧର୍ମ ବିଶ୍ଳେଷଣରୁ ସମାଜ ଦିନୁଦିନ ଗରିବ ହୋଇଗଲା, ଲୋକେ ନିର୍ବଳ ହୋଇଗଲେ, ପୁରୁଷାର୍ଥ ନକରି ଭାଗ୍ୟ-ଭଗବାନ ଭରସାରେ ହାତବାନ୍ଧି ବସିଗଲେ । ଏପରିକି ଆପଣାର ଅସ୍ମିତାର ସୁଦ୍ଧା ସୁରକ୍ଷା ଚିନ୍ତା କଲେ ନାହିଁ । ଧର୍ମ ପ୍ରତି କୁଧାରଣା ସୃଷ୍ଟି କରୁଥିବା ପ୍ରବଚନମାନର ପ୍ରଭାବରୁ ଲୋକେ ଏତେ ବିଭକ୍ତ ହୋଇଗଲେ ।ଇଷ୍ଟ ନିଷ୍ଠା ର ଧାର୍ମିକ ଭାବ ପ୍ରତି ନିଷ୍ପ୍ରଭ ରହି ବାକୁ ପସନ୍ଦ କଲେ। ‘ଯେ ଯାହା କରିବ ସେ ତାହା ପାଇବ’ ବିଚାରର ଛଳ ଧାର୍ମିକତାରେ ଅନ୍ୟାୟକୁ ସହ୍ୟକରି ସଂପୂର୍ଣ୍ଣ ପରାଧୀନ ହୋଇଗଲେ, ଧନୀ ଓ ଧନ ର ପରାଶ୍ରୟୀ ହୋଇ କାଳ ବିତାଇଲେ । ସଂପୂର୍ଣ୍ଣ ବ୍ୟକ୍ତି ଓ ସମାଜ ସ୍ୱୟଂ ଭାଗ୍ୟବାଦୀ ହୋଇ ନିଜର ସୁଖ-ଦୁଃଖାତ୍ମକ ସ୍ଥିତିରେ ସନ୍ତୋଷ ରହିଲା । ଆଜିର ଯୁଗରେ ଏହା ଚେତନା ପ୍ରଦାନ କଲାକି ବିକାଶର ରାସ୍ତା ଆମକୁ ସ୍ୱୟଂ ନିର୍ମାଣ କରିବାକୁ ହେବ । କୌଣସି ସମାଜ ବା ଦେଶର ସମାସ୍ୟାର ସମାଧାନ କର୍ମ-କୌଶଳ, ବ୍ୟବସ୍ଥା-ପରିବର୍ତ୍ତନ, ବୈଜ୍ଞାନିକ ତଥା କୌଶଳର ବିକାଶ, ପରିଶ୍ରମ ତଥା ନିଷ୍ଠା ଦ୍ୱାରା ସମ୍ଭବ । ଅଜିର ମନୁଷ୍ୟର ରୁଚି ନିଜର ବର୍ତ୍ତମାନକୁ ତଥା ଜୀବନକୁ ସମ୍ଭାଳିବାରେ ବ୍ୟସ୍ତ । ତାହାର ଧ୍ୟାନ ଭବିଷ୍ୟୋନ୍ମୁଖୀ ନହୋଇ ବର୍ତ୍ତମାନରେ ନିବିଷ୍ଟ । ସେ ସକଳ ଦିବ୍ୟତାକୁ ଏହି ଧରିତ୍ରୀରେ ଅବତରଣ କରାଇବାର ପ୍ରୟାସରେ ଲାଗିଛି । ସେ ପୃଥ୍ୱୀକୁ ହିଁ ସ୍ୱର୍ଗରେ ରୂପାନ୍ତରିତ କରିବାରେ ବ୍ୟାକୁଳ ହୋଇ ସଚେଷ୍ଟ ରହି ଭାଗ୍ୟ ଓ ଭଗବାନ ଉଭୟଙ୍କୁ ହତାଦର କରୁଚି । ବିକାଶ ପରମ ଲକ୍ଷ୍ୟ । ଏବେ ସଚେତନ ହେବାର ସମୟ ଉପନୀତ ।

"ଉଦ୍ୟୋଗିନଂ ପୁରୁଷ ସିଂହ ମୁପୈତି ଲକ୍ଷ୍ମୀ
ର୍ଦୈବଂ ପ୍ରଧାନ ମିତି କାପୁରୁଷା ବଦନ୍ତି "॥

ଉଦ୍ୟମଶୀଳ ବ୍ୟକ୍ତି ମାନଙ୍କ ପ୍ରତି ମା’ ଲକ୍ଷ୍ମୀ କୃପାଦୃଷ୍ଟି ରଖନ୍ତି ତେଣୁ ସେ ଜୀବନରେ ଶ୍ରେଷ୍ଠତ୍ଵକୁ ପ୍ରାପ୍ତ କରିଥାନ୍ତି ମାତ୍ର କାପୁରୁଷ ଅଳସୁଆ କର୍ମ ବିମୁଖ ବୃଥାରେ ସମୟ ବିତାଉଥିବା ବ୍ୟକ୍ତି ଦୈବକୁ ପ୍ରାଧାନ୍ୟତା ଦେଇଥାଏ ଓ ଅନ୍ୟସହିତ ନିଜକୁ ତୁଳନାରୁ ଆପଣାରେ ନ୍ୟୁନତାକୁ ଦେଖି ଭଗବତ କରୁଣା ଓ ଭାଗ୍ୟକୁ ସଦାବେଳେ ନିନ୍ଦା କରିଥାଏ ।

"ଉଦ୍ୟମଃ ସାହସଂ ଧୈର୍ଯ୍ୟଂ ବୁଦ୍ଧିଃ ଶକ୍ତିଃ ପରାକ୍ରମଃ ।
ଷଡେତେ ଯତ୍ର ବର୍ତନ୍ତେ ତତ୍ର ଦେବଃ ସହାୟକୃତ୍ "॥

ଯୁବକ ମାନେ ଭାଗ୍ୟକୁ ପ୍ରାଧାନ୍ୟ ନଦେଇ ପରମୁଖାପେକ୍ଷୀ ନରହି ଧୈର୍ଯ୍ୟର ସହିତ ସାହସ ବୁଦ୍ଧି ଖଟାଇ ନିର୍ଭୟରେ ଉଦ୍ୟମଶୀଳ ହୁଅନ୍ତୁ । ଆମ ରାଜ୍ୟରେ କେହି ଅଳସୁଆ ନରହନ୍ତୁ, ବ୍ୟର୍ଥତାର ଦ୍ଵାହି ଦେଇ ନିଶାଖୋର ନସାଜନ୍ତୁ, ଅଭିଜ୍ଞମାନଙ୍କ ପରାମର୍ଶ ନେଇ ପୁଣି ପୁଣି ଉଦ୍ୟମ କରନ୍ତୁ, ସମସ୍ତେ କର୍ମ ତତ୍ପର ରହନ୍ତୁ ।

ବିଶେଷ କରି ଆଜି ର ଯୁବ ପିଢ଼ି ଧ୍ୟାନ ଦେବା ଉଚିତ : -
ଆମର ଶାସ୍ତ୍ରାକାର ଙ୍କ ମତରେ ପ୍ରତ୍ୟେକ ମଣିଷ;-
ପ୍ରଥମ ଜୀବନକାଳ ରେ ଉପଲବ୍ଧ ସମର୍ଥ ସାର୍ଥକ ବିଦ୍ୟାକୁ ଆୟତ୍ତ କରନ୍ତୁ ।
ଦ୍ଵିତୀୟ ଜୀବନକାଳରେ ସତ୍ ମାର୍ଗରେ ରୋଜଗାର କରନ୍ତୁ,
ତୃତୀୟ ଜୀବନକାଳରେ ଅର୍ଜିତ ବିଦ୍ୟା ଓ ଧନସବୁର ଉଚିତ ମାର୍ଗରେ ତ୍ୟାଗ ପୂର୍ବକ ପ୍ରାଣଭରି ଉପଭୋଗ କରନ୍ତୁ ।
ଚତୁର୍ଥ ଜୀବନ କାଳରେ ଲୋକଶିକ୍ଷଣ ,ଲୋକକଲ୍ୟାଣ, ଭ୍ରମଣ ,ତୀର୍ଥାଟନ କରନ୍ତୁ ।ଏବଂ ଯେତେବେଳ ସ୍ଥବିର ଅବସ୍ଥା ଆସୁଛି ଇଷ୍ଟ ଚିନ୍ତା କରନ୍ତୁ ଓ ସାରାଜୀବନ ଆତ୍ମକଲ୍ୟାଣ ଓ ଲୋକକଲ୍ୟାଣରେ ବିତାଇ ଦିଅନ୍ତୁ’;
ଶାସ୍ତ୍ରୀୟ ମତରେ ଏହାକୁ ସାର୍ଥକ ଜୀବନ କୁହାଯାଏ । ମହାକାଳଙ୍କର ଜୟ ହେଉ ।
ଜୟ ଶ୍ରୀ ଜଗନ୍ନାଥ।

41
4938 views