ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ର କାଳିବତୀ ଓ ମୁଣ୍ଡାଆମ୍ବ ଶିଳ୍ପାଞ୍ଚଳ ପରିଦର୍ଶନ
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୩୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ସଡ଼କ ପଥରେ ବାହାରି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା କାଲିବତୀ ମୌଜାରେ ପହଞ୍ଚିଥିଲେ। ସେଠାରେ ଥିବା 'ଟ୍ରାଇମେଟ୍ରୋ (ଟ୍ରାଇଡେଣ୍ଟ) ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍'ରେ ପହଞ୍ଚି ମୁଖ୍ୟମନ୍ତ୍ରୀ କମ୍ପାନୀର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ଆୟୋଜିତ କର୍ମଚାରୀ ବୈଠକରେ ଯୋଗ ଦେଇଥିଲେ। ଏହି କମ୍ପାନୀଟି ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତି (ସୋଲାର୍ ଏନର୍ଜି) ଦ୍ୱାରା ପରିଚାଳିତ ହେବ ସହିତ ବହୁ ସଂଖ୍ୟାରେ ପାଖାପାଖି ଅଞ୍ଚଳର ଯୁବତୀ ମହିଳାମାନେ ସ୍ୱାବଲମ୍ବୀ ହେଉଥିବା ଜାଣି ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ।ଏହାପରେ କର୍ମଚାରୀମାନଙ୍କ ସହ ବୃକ୍ଷ ରୋପଣ କରିଥିଲେ l ପରେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସେଠାରୁ ବାହାରି ମୁଣ୍ଡାଆମ୍ବ ମୌଜା ସ୍ଥିତ 'ଆନାଡ୍ରୋନ୍ ସିଷ୍ଟମ୍ସ' ଫ୍ୟାକ୍ଟ୍ରି ପରିଦର୍ଶନ କରିଥିଲେ ଓ ସେଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବରିଷ୍ଠ ଆଇଏଏସ୍ ଅଧିକାରୀ ହେମନ୍ତ କୁମାର ଶର୍ମା, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ , ଉପଜିଲ୍ଲାପାଳ ସ୍ୱସ୍ତିକ ସଂକଳ୍ପ ସାହୁ, ବିଜେପି ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ସ୍ଥାନୀୟ ନେତା କେଳୁ ଚରଣ ଜଗଦେବ ଓ ଅନ୍ୟମାନେ ଉପସ୍ଥିତ ଥିଲେ