logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆରେ ମହାଘୋଟାଲା: ଗ୍ରାହକଙ୍କୁ ପରସା ହେଉଥିଲା ଅଇଁଠା ଦହିବରା! ଜାଗିବ କି ପ୍ରଶାସନ?

ଚମ୍ପୁଆ :- ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଚମ୍ପୁଆର ଅସାଧୁ ଖାଦ୍ୟ ବ୍ୟବସାୟୀ! ସ୍ୱାଦିଷ୍ଟ ଦହିବରା ନାଁରେ ଗ୍ରାହକଙ୍କୁ ବିଷ ପରସି ଦେଉଥିବା ଜଣେ ବ୍ୟବସାୟୀଙ୍କ ଅତି ଘୃଣ୍ୟ ଓ ଅମାନୁଷିକ କାରନାମା ଏବେ ସାମ୍ନାକୁ ଆସିଛି। ଚମ୍ପୁଆ ବସ୍ ଷ୍ଟାଣ୍ଡ ସାମ୍ନା ରାସ୍ତାକଡ଼ ବରଗଛ ମୂଳରେ ଦୀର୍ଘ ଦିନ ଧରି ଦୋକାନ କରି ଆସୁଥିବା ରମାକାନ୍ତ ଖୁଣ୍ଟିଆ ନାମକ ଜଣେ ବ୍ୟବସାୟୀ ଗ୍ରାହକମାନଙ୍କୁ ଅଇଁଠା, ବାସି ଏବଂ ଅସ୍ୱଚ୍ଛ ଖାଦ୍ୟ ପରିବେଷଣ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସହ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଗ୍ରାହକମାନେ ଖାଇସାରି ପାତ୍ରରେ ଛାଡ଼ିଦେଇଥିବା ଅଇଁଠା ଦହିବରାକୁ ରମାକାନ୍ତ ପୁଣି ଥରେ ମୂଳ ପାତ୍ରରେ ମିଶାଇ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରୁଥିଲେ। ଏହି ଭଦ୍ରମୁଖା ପଛର ଅସଲ ଚେହେରା ଏବଂ ଘୃଣ୍ୟ କାର୍ଯ୍ୟର ଭିଡିଓ କେହି ଜଣେ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚହଳ ପଡ଼ିଯାଇଥିଲା। ପୂର୍ବରୁ ଖାଦ୍ୟର ଗନ୍ଧ ଓ ସ୍ୱାଦକୁ ନେଇ ସନ୍ଦେହ କରୁଥିବା ଏବଂ ଏହି ଅସ୍ୱଚ୍ଛ ଖାଦ୍ୟ ଖାଇ ଅସୁସ୍ଥ ଅନୁଭବ କରିଥିବା ଗ୍ରାହକମାନେ ଭିଡିଓ ଦେଖିବା ପରେ ସ୍ତବ୍ଧ ହୋଇଯାଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ଆଜି ସକାଳୁ କ୍ଷୁବ୍ଧ ଜନସାଧାରଣ ସେଠାରେ ଏକତ୍ରିତ ହୋଇ ବ୍ୟବସାୟୀ ରମାକାନ୍ତଙ୍କୁ ଅଟକ ରଖି ପଚାରାଉଚରା କରିବା ସହ ଉତ୍ତମମଧ୍ୟମ ଦେଇଥିବା ଜଣାପଡ଼ିଛି। ଖବର ପାଇ ଚମ୍ପୁଆ ପୋଲିସ୍ ଓ ଏନଏସି କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି। ସ୍ଥାନୀୟ ଲୋକେ ଅଭିଯୋଗକାରୀ ଦୋକାନୀଙ୍କୁ ପୋଲିସ ଜିମା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଉକ୍ତ ବ୍ୟବସାୟୀଙ୍କ ଦୁଇଚକିଆ ଯାନ ସହ ବିକ୍ରି ପାଇଁ ରଖାଯାଇଥିବା ସମସ୍ତ ଅସ୍ୱଚ୍ଛ ଦହିବରା ସାମଗ୍ରୀକୁ ଜବତ କରି ନଷ୍ଟ କରାଯାଇଛି ଏବଂ ପୋଲିସ ରମାକାନ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଏହି ଘଟଣା ପରେ ଚମ୍ପୁଆ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଗୋଟିଏ ଦୋକାନକୁ ସିଲ୍ କରିଦେଲେ କିମ୍ବା ଜଣକୁ ଗିରଫ କଲେ ସମସ୍ୟାର ସମାଧାନ ହେବ ନାହିଁ। ପ୍ରଶାସନକୁ ନିମ୍ନଲିଖିତ ଦିଗ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ପଡ଼ିବ । ରାସ୍ତାକଡ଼ରେ ଦୈନିକ ଲାଗୁଥିବା ଠେଲା, ହୋଟେଲ ଏବଂ ଫାଷ୍ଟଫୁଡ୍ ଦୋକାନଗୁଡ଼ିକର ସ୍ୱଚ୍ଛତା ଯାଞ୍ଚ କରିବା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀ କାହିଁକି ନିୟମିତ ପଦକ୍ଷେପ ନେଉନାହାନ୍ତି? ପ୍ରତ୍ୟେକ ସ୍ତରର ଖାଦ୍ୟ ବ୍ୟବସାୟୀ ଏଫ୍ଏସ୍ଏସ୍ଏଆଇ ର ନିୟମାବଳୀ ମାନୁଛନ୍ତି କି ନାହିଁ, ତାହାର ତଦାରଖ କରାଯାଉ। ଲୋକଙ୍କ ଜୀବନ ସହ ଖେଳୁଥିବା ଏଭଳି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କେବଳ ଅଟକ ନୁହେଁ, ବରଂ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯାହାଫଳରେ ଅନ୍ୟମାନେ ଏଭଳି କରିବାକୁ ସାହସ କରିବେ ନାହିଁ। ପ୍ରଶାସନ କେବଳ ଘଟଣା ଘଟିବା ପରେ ଚେତିବା ପରିବର୍ତ୍ତେ, ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚମ୍ପୁଆର ସମସ୍ତ ଖାଦ୍ୟ ଦୋକାନର ଅଚାନକ ଯାଞ୍ଚ କରୁ। ନଚେତ୍ ଆଗାମୀ ଦିନରେ ଏହା ଏକ ବଡ଼ ସ୍ୱାସ୍ଥ୍ୟ ବିପର୍ଯ୍ୟୟର ରୂପ ନେଇପାରେ।

33
1935 views

Comment