logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସଦର ପୋଲିସର ମାନବିକତା ଓ ତତ୍ପରତାର ଅନନ୍ୟ ଉଦାହରଣ - ଗୁଜୁରାଟରୁ ଉଦ୍ଧାର ହେଲା ନାବାଳକ, ପରିବାରକୁ ଫେରାଇ ଆଣିଲା ସଦର ପୋଲିସ।

ସଦର ପୋଲିସର ମାନବିକତା ଓ ତତ୍ପରତାର ଅନନ୍ୟ ଉଦାହରଣ - ଗୁଜୁରାଟରୁ ଉଦ୍ଧାର ହେଲା ନାବାଳକ, ପରିବାରକୁ ଫେରାଇ ଆଣିଲା ସଦର ପୋଲିସ।


କେନ୍ଦୁଝର,୨୪/୦୫, ସଦର ପୋଲିସର ତତ୍ପରତା, ମାନବିକତା ଏବଂ କର୍ତ୍ତବ୍ୟନିଷ୍ଠା ପୁଣିଥରେ ସାଧାରଣ ଲୋକଙ୍କ ମନରେ ପୋଲିସ ପ୍ରତି ଆସ୍ଥାକୁ ଦୃଢ଼ କରିଛି। ସଦର ଥାନା ଅଞ୍ଚଳର ଜଣେ ନାବାଳକ ଦଲାଲଙ୍କ ପ୍ରଲୋଭନରେ ପଡ଼ି ସୁଦୂର ଗୁଜୁରାଟକୁ ଯାଇ ଅସହାୟ ଅବସ୍ଥାରେ ଫସି ରହିଥିବା ବେଳେ, ସଦର ଆଇଆଇସି ଅମିତ୍ ଭୂୟାଁ ଓ ତାଙ୍କ ଟିମ୍ ର ନିରନ୍ତର ପ୍ରୟାସରେ ସେହି ନାବାଳକକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପରିବାର ନିକଟକୁ ଫେରାଇ ଆଣାଯାଇଛି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସଦର ପୋଲିସକୁ ଛୁଟୁଛି ପ୍ରଶଂସାର ସୁଅ।

ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳର କିଛି ଯୁବକଙ୍କ ସହିତ ଏହି ନାବାଳକଙ୍କୁ ଭୁବନେଶ୍ୱରରେ କାମ ମିଳିବ ବୋଲି ପ୍ରଲୋଭନ ଦେଇ ଜଣେ ଦଲାଲ ସୁଦୂର ଗୁଜୁରାଟକୁ ନେଇଯାଇଥିଲେ। ସେଠାରେ ଏକ ନିର୍ମାଣ ସଂସ୍ଥାରେ କାମ କରିବା ପାଇଁ ଏମାନଙ୍କୁ ରଖାଯାଇଥିଲା।

କିନ୍ତୁ ସେଠାରେ ପହଞ୍ଚିବା ପରେ ପରିସ୍ଥିତି ଭୟାବହ ହୋଇପଡ଼ିଥିଲା। ଗ୍ୟାସ ସଙ୍କଟ ଯୋଗୁଁ ଖାଦ୍ୟ ପାଇଁ ଭୟଙ୍କର ଅସୁବିଧା ସୃଷ୍ଟି ହୋଇଥିଲା। ଅନେକ ସମୟ ଧରି ଭୋକ ଉପାସରେ ରହିବା ପରେ ଅନ୍ୟ ଯୁବକମାନେ କୌଶଳକ୍ରମେ ସେଠାରୁ ପଳାଇ ନିଜ ଗାଁକୁ ଫେରି ଆସିଥିଲେ।

ହେଲେ ଏହି ନାବାଳକଟି ପରିସ୍ଥିତିକୁ ବୁଝିବା ପୂର୍ବରୁ ଅନ୍ୟମାନେ ଚାଲି ଆସିଥିବାରୁ ସେ ଏକାକୀ ସେଠାରେ ଫସି ରହିଯାଇଥିଲା। ନା ମୋବାଇଲ ଫୋନ, ନା ଟଙ୍କା ପଇସା—କିଛି ବି ନଥିବାରୁ ସେ ଦୁଇ ଦିନ ଧରି ଭୋକ ଉପାସରେ କାନ୍ଦି କାନ୍ଦି ସେଠାରେ ଅଟକି ରହିଥିଲା।

ଶେଷରେ ସାହସ ସଂଗ୍ରହ କରି ନାବାଳକଟି ସେହି କ୍ୟାମ୍ପର ପାଚେରୀ ଡେଇଁ ବାହାରକୁ ପଳାଇଥିଲା। ପରେ ଏକ ଟ୍ରକକୁ ଅଟକାଇ ତାହାରେ ଚଢ଼ି ଡ୍ରାଇଭରଙ୍କୁ ଭଙ୍ଗା ହିନ୍ଦୀରେ “ମୋତେ କେନ୍ଦୁଝରରେ ଛାଡ଼ିଦିଅ” ବୋଲି କହିଥିଲା। କିନ୍ତୁ ଡ୍ରାଇଭର ତାହାକୁ ଠିକ୍ ଭାବେ ବୁଝିପାରିନଥିବାରୁ ଜଣେ ଢାବା ନିକଟରେ ତାକୁ ଓହ୍ଲାଇ ଦେଇ ଚାଲିଯାଇଥିଲେ।

ଅନ୍ୟ ଯୁବକମାନେ ଗାଁକୁ ଫେରି ଆସିଥିବା ବେଳେ ନାବାଳକଟି ଘରକୁ ଫେରି ନଥିବାରୁ ପରିବାର ଲୋକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। ପରେ ସେମାନେ ସଦର ଥାନାରେ ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ।

ଘଟଣାର ଗମ୍ଭୀରତାକୁ ବୁଝି ସଦର ଆଇଆଇସି ଅମିତ୍ ଭୂୟାଁ ତୁରନ୍ତ କାର୍ଯ୍ୟରେ ଲାଗିପଡ଼ିଥିଲେ। ଯେହେତୁ ମାମଲାଟି ଜଣେ ନାବାଳକଙ୍କ ସହ ଜଡିତ ଥିଲା, ତେଣୁ ପୋଲିସ ଅତ୍ୟନ୍ତ ସତର୍କତାର ସହ ତଦନ୍ତ ଆରମ୍ଭ କରିଥିଲା।

ସୌଭାଗ୍ୟବଶତଃ, ଯେଉଁ ଢାବା ନିକଟରେ ନାବାଳକଟିକୁ ଛାଡ଼ାଯାଇଥିଲା, ସେଠାରେ ଥିବା ଜଣେ ବଙ୍ଗାଳୀ ବ୍ୟକ୍ତି ତାଙ୍କ ଅସହାୟ ଅବସ୍ଥା ଦେଖି ମାନବିକତାର ପରିଚୟ ଦେଇଥିଲେ। ସେ ନାବାଳକ ପାଇଁ ଖାଇବା ବ୍ୟବସ୍ଥା କରିଥିଲେ।

ନାବାଳକଟି ଏକ କାଗଜରେ ଗାଁର ଜଣେ ସାଙ୍ଗଙ୍କ ଫୋନ ନମ୍ବର ଲେଖି ରଖିଥିଲା। ସେହି ନମ୍ବରକୁ ବଙ୍ଗାଳୀ ବ୍ୟକ୍ତିଙ୍କ ଫୋନରୁ କଲ କରି ସେ ନିଜର ଦୁର୍ଦ୍ଦଶା ବିଷୟରେ ଜଣାଇଥିଲା।

ପରେ ଏହି ସୂଚନା ସଦର ପୋଲିସ ପାଖକୁ ପହଞ୍ଚିବା ପରେ ପୋଲିସ ତୁରନ୍ତ ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ନାବାଳକଙ୍କ ସଠିକ ଲୋକେସନ ସଂଗ୍ରହ କରିଥିଲା।

ଯଦିଓ ବଙ୍ଗାଳୀ ବ୍ୟକ୍ତି ନାବାଳକକୁ ଟ୍ରେନରେ ବସାଇ ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଯିଏ କେବଳ “କେନ୍ଦୁଝର” ଛଡ଼ା ଆଉ କିଛି ଜାଣେନି ସେ କିପରି ଏତେ ଦୂର ରାସ୍ତା ଏକାକୀ ଆସିବ—ଏହା ପୋଲିସ ପାଇଁ ଚିନ୍ତାର ବିଷୟ ଥିଲା।

ଏହାପରେ ସଦର ପୋଲିସ ତୁରନ୍ତ ଏକ ଟିମ୍ ଗଠନ କରି ଗୁଜୁରାଟ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ଗାଁର ଜଣେ ଯୁବକଙ୍କୁ ସହ ନେଇ ପୋଲିସ ଟିମ୍ ଏଭଳି ପ୍ରଚଣ୍ଡ ଗରମ ଓ ଅସୁବିଧା ସତ୍ତ୍ୱେ ଜେନେରାଲ ଟିକେଟରେ ଯାତ୍ରା କରି ଗୁଜୁରାଟ ପହଞ୍ଚିଥିଲେ। ପରେ ସେମାନେ ନାବାଳକକୁ ସୁରକ୍ଷିତ ଭାବେ ଉଦ୍ଧାର କରି କେନ୍ଦୁଝରକୁ ଫେରାଇ ଆଣିଥିଲେ।

ନାବାଳକଟି ସୁରକ୍ଷିତ ଭାବେ ପରିବାର ପାଖକୁ ଫେରିବା ପରେ ପରିବାର ସହ ସମଗ୍ର ଗ୍ରାମରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏଭଳି ଅସମ୍ଭବ ପରି ଲାଗୁଥିବା ଏକ ଘଟଣାକୁ ସଦର ପୋଲିସ ଯେପରି ସଫଳତାର ସହ ସମାଧାନ କଲା, ତାହାକୁ ନେଇ ସବୁଠି ପ୍ରଶଂସା ହେଉଛି।

ଗ୍ରାମବାସୀମାନେ ସଦର ଆଇଆଇସି ଅମିତ୍ ଭୂୟାଁ ଏବଂ ତାଙ୍କ ଟିମ୍ କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

“ପୋଲିସ ଚାହିଁଲେ ସବୁ ସମ୍ଭବ”

ଏହି ଘଟଣା ପୁଣିଥରେ ପ୍ରମାଣ କରିଦେଇଛି ଯେ, ପୋଲିସ ଚାହିଁଲେ ଅନେକ ଜଟିଳ ସମସ୍ୟାର ସମାଧାନ ସମ୍ଭବ। କେବଳ କର୍ତ୍ତବ୍ୟ ନୁହେଁ, ମାନବିକତା ଓ ସମ୍ବେଦନଶୀଳତା ଥିଲେ ଅସହାୟ ଲୋକଙ୍କ ପାଇଁ ପୋଲିସ ହୋଇପାରେ ଭରସାର ଅନ୍ୟ ନାମ।

ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତଙ୍କ ରିପୋର୍ଟ।

14
855 views

Comment