logo

ଆମ ରାଜଘାଟ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ଆମ ରାଜଘାଟ
ନୀଳମଣି ଚାନ୍ଦ

ଦିଲ୍ଲୀଠାରେ ଅବସ୍ଥିତ ରାଜଘାଟ
ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ
ଜଳୁଥାଏ ଦୀପ ,ଶାନ୍ତି ବିରାଜିତ
କି ସୁନ୍ଦର ଆହା ତା ପରିମଳ ।


ଆଉ ରାଜଘାଟ ଶୁଣିଛୁ ଯା ନାଆଁ
ବୈତରଣୀର ସେ ଏକ ଘାଟ
ଘଷିପୁରା ଆନନ୍ଦପୁର ମଧ୍ୟରେ
ଜଳପଥରେଟି ସେ ଥିଲା ବାଟ।

ପୋଲର ନିର୍ମାଣ ନ ହେବା ଆଗରୁ
ସେ ଘାଟରେ ଚାଲୁଥିଲାରେ ନାଆ
ନାଉରୀ ତ ଥିଲେ ଜଡ଼ା ଓ ଜଟିଆ
ମନେ ରଖିଛି ମୁଁ ଏ ଯାଏଁ ନାଆଁ।

ଘାଟ ମାସୁଲ ଦଶ ପଇସାଟି
ଥିଲା ଯେ ଆମରି ପଢ଼ିବା ବେଳେ
ପଟେଇଡଙ୍ଗାଟେ ଚାଲୁଥିଲା ସେଠି
ଏବେ ବି ସ୍ମୃତିରେ ସେ କଥା ଖେଳେ ।

ଗହଳଚହଳ ଥିଲା ରାଜଘାଟ
ରହିଥିଲା ସେଠି ଲଞ୍ଚ୍ ଟିଏ
ପାରିହେବା ମଜା ଥିଲାରେ ନିଆରା
କହି ପାରିବ ତ ଦେଖିଛି ଯିଏ ।

ଆଜି ସେହି ଘାଟ ନାଆଁକୁ ଘାଟଟେ
ଶୂନଶାନ୍ ହୋଇ ପଡ଼ିଛି ସିନା
ଆନନ୍ଦପୁରର ଇତିହାସ ଲେଖା
ଅଧୁରା ରହିବ ତାହାରି ବିନା ।

ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

16
786 views