logo

କେନ୍ଦୁଝର ର ଶୀତ - ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ଦ୍ଵାରା ରଚିତ କବିତା।

କେନ୍ଦୁଝର ର ଶୀତ
**************
ଦେବାଶିଷ ଚକ୍ରବର୍ତ୍ତୀ

ଯେଉଁଠି ସୁଖ ଅଳପ
ଅଥଚ ଦୁଃଖ ଅପ୍ରମିତ
ନିଧଡକ ରେ ତାକୁ କହିପାର
କେନ୍ଦୁଝର ର ଶୀତ l

ବଣୁଆ ହାତୀ ର ପାହୁଲ କୁ ସିନା
ବାଟ ଓଗାଳି ପାରେ ନିଆଁହୁଳା
ହେଲେ ତାହା ଆକଟ କରି ପାରିବ କି
ଶୀତ ର ଚଲା ବୁଲା ?

ପତ୍ର ର ପାପୁଲି ରୁ ଝରି ପଡୁଥିବା
ଟୋପା ଟୋପା କଅଁଳା କାକର
ମନେ ହୁଏନି କି ନିଆଶୀ ର ଅଶ୍ରୁ ନୀର ?
ଉପର ପାଣିଆ ଜମି ଅରାକରେ
ଯାହା କିଛି ହୋଇଥିଲା ଫସଲ
ତାକୁ ଉଜାଡି ଦେଇଛନ୍ତି ହାତୀପଲ
ତାକୁ କୁଆଡେ ଭରଣା କରିବେ ସରକାର
ହେଲେ ସେତକ ପାଇବା ଲାଗି
ବାବୁଭାୟାଙ୍କର ଦିଲ୍ ଖୁସ୍ କରିବାକୁ
କାହୁଁ ପାଇବେ ସମ୍ବଳ?

ତଇଲା ରେ ସୋରିଷ ବିଛେଇ ଦେଇଛି ତାର ପଣତ
ମନେ ହୁଏ ସିନା ଧରଣୀ
ମନ ଖୁସିରେ ନାଇଛି
ହଳଦୀ ରଙ୍ଗର ପାଟ
ହେଲେ ତା ଭିତରୁ ଶୁଭେନିକି
ଭୋକର କୁହାଟ ?
ଏହା ସିନା ଯୋଗାଇବ
ତିନି କି ଚାରି ମାସର ଆହାର
ବାକି କେଇମାସ ତ
ମଉଆଳୁ, ପିତାଳୁ କି
ସିଆଡ଼ିଫଳ ହିଁ ଭରସା କେବଳ l

ଦଶ ତଳକୁ ଖସିଲାଣି ପାରଦ
ରେଜେଇ, କମ୍ବଳ ବି
କରିପାରୁ ନାହାନ୍ତି ଶୀତକୁ ଆକଟ
ଚିରାଫୁଟା ଚାଦର ର କେତେ ବହପ ଯେ
ସମ୍ଭାଳିବ ତାର ଦାପଟ ?
ସେକେଉଁ ଯୁଗରୁ ଦିହରେ ତାର
ଜମିଛି ବୋଲି ବିଧେ ବହଳର ମଳି
ହେଲେ ତାହା ନୁହେଁକି ଅରଖିତ କୁ ଦଇବର ସାହା ଭଳି ?

ରାସ୍ତା କଡ଼ର ଗଛ ତ ତାଳୁରୁ ତଳିପା
ଧୂଳି ସର ସର
ଯେମିତିକି ଉପେକ୍ଷା ରେ
ଜୀବନ ଏଇଠି ଧୂଳିଧୂସର
ଏଠାରେ ସିନା ବେଳ ଉଇଁବାକୁ ଉଛୁର
ହେଲେ ବେଳ ବୁଡିବାକୁ ଭାରି ତରତର
ଏଠି ଆଲୁଅ କମ୍ ଅଧିକ ଅନ୍ଧାର
ଜଙ୍ଗଲ କୁ ତ ଅଧାରୁ ଅଧିକ
ଚନ୍ଦା କରିସାରିଲେଣି ଖଣିଚୋର
ଖଣି ମାଫିଆ ତ ଲୁଟି ନେଲେଣି
ରତନ ଭୂଧର
ସତେ କଣ ଏଇମିତି
କେନ୍ଦୁଝରିଆଙ୍କ କପାଳରେ ଲେଖାଥିବ
ଶୀତର ନୈରାଜ୍ୟ କେବଳ ?
ଜୀଵନ ତରୁ ର ଡାଳରେ
ଆଶାବରୀ ଶୁଣାଇବନି
ଆଶା ର କୋକିଳ?
********************************
ମଣ୍ଡୁଆ, କେନ୍ଦୁଝର ଗଡ଼
ମୋ 9437752395

27
1179 views